ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ନ୍ୟୁଜିଲାଣ୍ଡ ଭୟଭୀତ: ଅଧିନାୟକ କହିଲେ…

ନୂଆଦିଲ୍ଲୀ,୨୧।୧୦: ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ସତର୍କ ହୋଇପଡ଼ିଛି ନ୍ୟୁଜିଲାଣ୍ଡ ଦଳ। ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ ପୂର୍ବରୁ କିୱି ଅଧିନାୟକ ମିଚେଲ ସାଣ୍ଟନର କହିଛନ୍ତି, ୧୫ ବର୍ଷୀୟ ବୈଭବ ଯଦି ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି, ତେବେ ତାଙ୍କୁ ଅଟକାଇବା ବୋଲରଙ୍କ ପାଇଁ କଷ୍ଟକର ହୋଇପାରେ। ଏଥିପାଇଁ ନ୍ୟୁଜିଲାଣ୍ଡ ଦଳ କିଛି ରଣନୀତି ମଧ୍ୟ ପ୍ରସ୍ତୁତ କରିଛି।
ବୈଭବ ଚଳିତ ବର୍ଷ ଭାରତ ପାଇଁ ଟି-୨୦ରେ ପଦାର୍ପଣ କରିଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ନିୟମିତ ସୁଯୋଗ ମିଳିନାହିଁ। ପୂର୍ବ ସିରିଜ୍‌ର ପାଞ୍ଚଟି ମ୍ୟାଚ୍‌ରୁ ଗୋଟିଏରେ ମଧ୍ୟ ସେ ଖେଳିବାର ସୁଯୋଗ ପାଇ ନ ଥିବା କୁହାଯାଇଛି। ଅନ୍ୟପକ୍ଷରେ, ଦଳୀୟ ପରିଚାଳନା ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ଓପନର ଭାବେ ଖେଳାଉଛି। ଉଭୟ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।
ସାଣ୍ଟନର କହିଛନ୍ତି, ବୈଭବ ପୂର୍ବ ସିରିଜ୍‌ରେ ଖେଳି ନ ଥିଲେ ମଧ୍ୟ ଆଇପିଏଲ୍‌ରେ ତାଙ୍କ ଦକ୍ଷତା ବିଷୟରେ ନ୍ୟୁଜିଲାଣ୍ଡ ଦଳ ଅବଗତ ଅଛି। ଅଭିଷେକଙ୍କ ପରି ଅନ୍ୟ ଭାରତୀୟ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ଦଳରେ ଏହି ସିରିଜ ହେଉ କିମ୍ବା ଭବିଷ୍ୟତରେ ବୈଭବଙ୍କ ଭୂମିକା ବଡ଼ ହୋଇପାରେ।

ସାଣ୍ଟନରଙ୍କ କହିବା ଅନୁସାରେ, ଯଦି ବୈଭବ ଚୂଡ଼ାନ୍ତ ଏକାଦଶରେ ସାମିଲ ହୁଅନ୍ତି। ତେବେ ତାଙ୍କ ଖେଳକୁ ବୁଝିବା ପାଇଁ ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ଅଧ୍ୟୟନ କରାଯାଇଛି। ଆଇପିଏଲ୍‌ରେ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିଛି ଦଳ। ତାଙ୍କୁ ରନ କରିବାରୁ ରୋକିବା ବୋଲରଙ୍କ ପାଇଁ ଏକ ବଡ଼ ଆହ୍ବାନ ହୋଇପାରେ ବୋଲି ସାଣ୍ଟନର ସ୍ବୀକାର କରିଛନ୍ତି।
ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ନେଇ ମଧ୍ୟ ମତ ରଖିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ। ତାଙ୍କ ମତରେ, ପିଚରୁ ସାମାନ୍ୟ ସହାୟତା ମିଳିଲେ ଭୁବନେଶ୍ୱର ତାହାର ପୂରା ଫାଇଦା ଉଠାଇପାରନ୍ତି। ଭାରତର ସମତଳ ପିଚ୍‌ରେ ମଧ୍ୟ ସେ ବଲ୍‌କୁ ସ୍ବିଙ୍ଗ କରାଇବାରେ ସଫଳ ହୁଅନ୍ତି। ତେଣୁ ନୂଆ ବଲ୍‌ରେ ଭୁବନେଶ୍ୱରଙ୍କ ସାମ୍ନା କରିବା ନ୍ୟୁଜିଲାଣ୍ଡର ଟପ ଅର୍ଡର ବ୍ୟାଟରଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ।

 

Dharitri – Odisha’s No.1 Odia Daily

 

Share