Categories: Home Leftଖେଳ

ଟିମ ଇଣ୍ଡିଆଠାରୁ ହାରିବା ପରେ ଭାଙ୍ଗିପଡ଼ିଲେ କିୱି ଅଧିନାୟକ, ପରାଜୟ ପାଇଁ କାହାକୁ କଲେ ଦାୟୀ?ଜାଣନ୍ତୁ…

ନୂଆଦିଲ୍ଲୀ, ୨୩।୧୦: ଭାରତ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୨୨୫ ରନ କରିବା ପରେ ମଧ୍ୟ ପରାଜୟର ସାମ୍ନା କରିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡର ଇନିଂସ ଶେଷ ହେବା ପରେ ୱିନ ପ୍ରେଡିକ୍ଟରରେ ଦଳର ବିଜୟ ସମ୍ଭାବନା ୭୨ ପ୍ରତିଶତ ଦେଖାଉଥିଲା। ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ପ୍ରଥମ ୬ ଓଭରରେ ହିଁ ୯୩ ରନ କରି ମ୍ୟାଚର ଗତି ବଦଳାଇ ଦେଇଥିଲେ। କିନ୍ତୁ ଏହାପରେ କିୱି ଦଳ ପୁଣି ଥରେ ମ୍ୟାଚକୁ ଫେରିଥିଲା।

ଈଶାନ କିଶନ ଆଉଟ ହେବା ପରେ ନ୍ୟୁଜିଲାଣ୍ଡର ବିଜୟ ସମ୍ଭାବନା ପୁଣି ୭୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତଥାପି ୨୨୫ ରନର ବିଜୟ ଲକ୍ଷ୍ୟକୁ ରକ୍ଷା କରିବାରେ ବିଫଳ ହୋଇଥିଲା କିୱି ଦଳ। ଭାରତ ଆଉ ଦୁଇଟି ବଲ ବାକି ଥାଇ ମ୍ୟାଚ ଜିତି ନେଇଥିଲା। ଏହି ପରାଜୟ ପରେ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର ନିରାଶ ଦେଖାଯାଇଥିଲେ। ତେବେ ଏହି ପରାଜୟ ପାଇଁ ସେ କାହାକୁ ଦାୟୀ କରିଛନ୍ତି, ଆସନ୍ତୁ ଜାଣିବା…

କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚର ପରାଜୟ ପରେ କିୱି ଅଧିନାୟକ ମିଚେଲ ସାଣ୍ଟନର କହିଛନ୍ତି, ଭାରତ ଆମ ଉପରେ ଚାପ ସୃଷ୍ଟି କରିଥିଲା। ଆମେ ଜାଣିଥିଲୁ ଯେ ସେମାନେ ଏପରି କରିବେ। ପୁଣି ଥରେ ସେମାନେ ପାୱାରପ୍ଲେରେ ବହୁତ ରନ ସଂଗ୍ରହ କଲେ। ବୋଧହୁଏ ଆମେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିପାରିଲୁ ନାହିଁ।

ସେ ଆହୁରି କହିଛନ୍ତି, ଆମକୁ କିଛି ଦିଗରେ ସୁଧାର ଆଣିବାକୁ ପଡ଼ିବ। ବଲ କିପରି ବ୍ୟବହାର କରୁଛି, ସେ ବିଷୟରେ ଆମର ଧାରଣା ଅଛି। ତେଣୁ ଆମେ ଭାରତୀୟ ବ୍ୟାଟର୍ସଙ୍କ ରନ ଗତିକୁ ଧିମା କରିପାରିବୁ। ମଧ୍ୟ ଓଭରଗୁଡ଼ିକରେ ଆମେ ସେମାନଙ୍କୁ ଭଲ ଭାବେ ରୋକିଥିଲୁ ଏବଂ ମ୍ୟାଚ ବେଶ ରୋମାଞ୍ଚକର ହୋଇଯାଇଥିଲା। ଉଭୟ ଦଳରେ ସୁଧାର ଆଣିବା ପାଇଁ କିଛି ଦିଗ ରହିଛି। ଏହି ମ୍ୟାଚ ଯେକୌଣସି ଦଳ ସପକ୍ଷରେ ଯାଇପାରିଥାନ୍ତା। ନ୍ୟୁଜିଲାଣ୍ଡ କେଉଁ କେଉଁ କ୍ଷେତ୍ରରେ ସୁଧାର ଆଣିପାରିବ, ଏନେଇ ପ୍ରଶ୍ନ କରାଯିବାରୁ ସାଣ୍ଟନର ଅତିରିକ୍ତ ରନ ଏବଂ ଫିଲ୍ଡିଂ ସମୟରେ ହାତଛଡ଼ା ହୋଇଥିବା କିଛି ସୁଯୋଗ ଉପରେ ଗୁରୁତ୍ୱ ଦେଇଥିଲେ।

ସେ କହିଥିଲେ, ପ୍ରାରମ୍ଭରେ ଆମେ ଦେଇଥିବା ଅତିରିକ୍ତ ରନ ମଧ୍ୟ ପରାଜୟର ଏକ କାରଣ ହୋଇପାରେ। ତେବେ ଫିଲ୍ଡିଂରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। କିନ୍ତୁ ଏଠାରେ କ୍ୟାଚ ଧରିବା ସହଜ ନୁହେଁ। ଆମେ ଆଉ କିଛି ସୁଯୋଗର ଫାଇଦା ଉଠାଇପାରିଥାନ୍ତୁ। ଡେଥ ଓଭରଗୁଡ଼ିକରେ ମଧ୍ୟ ସୁଧାର ଆଣିବାର ଆବଶ୍ୟକତା ରହିଛି।

ପାୱାରପ୍ଲେ ସବୁବେଳେ ଏକ ବଡ଼ ଆହୱାନ ହୋଇ ରହିଥାଏ ବୋଲି କହିବା ସହ ଭାରତୀୟ ବ୍ୟାଟର୍ଙ୍କୁ ରୋକିବା ପାଇଁ ନୂଆ ରଣନୀତି ଆପଣାଇବାକୁ ପଡ଼ିବ ବୋଲି ସାଣ୍ଟନର କହିଛନ୍ତି। ସେ ଆହୁରି କହିଛନ୍ତି, ପାୱାରପ୍ଲେରେ ୧୦୦ ରନ ଦେବା ପରିବର୍ତ୍ତେ ଯଦି ଆମେ ଏହାକୁ ୮୦ ରନ ମଧ୍ୟରେ ସୀମିତ ରଖିପାରିବୁ, ତେବେ ଏହା ଆମ ପାଇଁ ଭଲ ହେବ। ଭାରତକୁ ରୋକିବା ପାଇଁ ଆମକୁ ଏକ ଉପାୟ ଖୋଜିବାକୁ ପଡ଼ିବ।

Dharitri – Odisha’s No.1 Odia Daily

Share