ହାମିଲଟନ୍,୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ଟି-୨୦ ସିରିଜ୍ ୩-୨ ସ୍କୋର ସହ ଶେଷ ହୋଇଛି। ସିରିଜ୍ର ପ୍ରଥମ ତିନୋଟି ମ୍ୟାଚ୍ କ୍ରମାଗତ ଭାବେ ଜିତି ଭାରତୀୟ ଦଳ ପୂର୍ବରୁ ହିଁ ଟ୍ରଫି ନିଜ ନାମରେ କରିସାରିଥିଲା। ମାତ୍ର ଶେଷ ଦୁଇଟି ମ୍ୟାଚ୍ ଜିତି କିୱି ଦଳ (ନ୍ୟୁଜିଲାଣ୍ଡ) ନିଜର ସମ୍ମାନ ରକ୍ଷା କରିବା ସହ ଟିମ୍ ଇଣ୍ଡିଆକୁ ଗଭୀର ଚିନ୍ତାକୁ ଠେଲି ଦେଇଛି। ହାମିଲଟନ୍ ର ସେଡନ୍ ପାର୍କରେ ଖେଳାଯାଇଥିବା ଶେଷ ମ୍ୟାଚ୍ରେ ଆଦାମ ମିଲ୍ନଙ୍କ ଘାତକ ବୋଲିଂ ଏବଂ ଟିମ୍ ସେଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ୭ ଉଇକେଟ୍ରେ ବିଜୟ ହାସଲ କରିଛି।
ରବିବାର (ନଭେମ୍ବର ୧) ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ଏହି ସିରିଜ୍ରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ହାରିଥିଲେ ଏବଂ ଟିମକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ମାତ୍ର ୧୯ ରନ୍ ମଧ୍ୟରେ ଓପନର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଆଉଟ୍ ହୋଇଯିବାରୁ ଭାରତୀୟ ଆରମ୍ଭ ବେଶ୍ ଖରାପ ରହିଥିଲା।
କିନ୍ତୁ ଏହି ବିପର୍ଯ୍ୟୟ ପରେ ଅଧିନାୟକ ଶ୍ରେୟସ ଆୟର ଏବଂ ଈଶାନ କିଶନ ପଡ଼ିଆରେ ଝଡ଼ ସୃଷ୍ଟି କରିଥିଲେ। ଈଶାନ ମାତ୍ର ୨୮ ବଲ୍ରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିବାବେଳେ ଅଧିନାୟକ ଆୟର ମାତ୍ର ୨୨ ବଲ୍ରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟେ ମାତ୍ର ୪୩ ବଲ୍ରେ ୯୩ ରନ୍ର ଏକ ମଜବୁତ ଭାଗୀଦାରୀ ଗଢ଼ିଥିଲେ। ସେମାନେ ଆଉଟ୍ ହେବା ପରେ, ନମନ ଧୀର ଏବଂ ନିତୀଶ କୁମାର ରେଡ୍ଡୀ କିଛି ସମୟ ପାଇଁ ଦ୍ରୁତ ବ୍ୟାଟିଂ କରିଥିଲେ; ତଥାପି, ଭାରତ ୨୦୦ ରନ୍ର ସୀମା ଅତିକ୍ରମ କରିପାରି ନଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା।
୧୯୨ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ଝଟକା ପାଇଥିଲା, ଯେତେବେଳେ ଅର୍ଶଦୀପ ସିଂହ ଦ୍ୱିତୀୟ ଓଭରରେ ଫିନ୍ ଆଲେନ୍ଙ୍କୁ ଆଉଟ୍ କରିଥିଲେ। ମାତ୍ର ଟିମ୍ ସେଫର୍ଟ ଏବଂ ଡାରିଲ୍ ମିଚେଲ୍ ଭାରତୀୟ ବୋଲରମାନଙ୍କୁ ଆଉ କୌଣସି ଚାପ ପକାଇବାକୁ ସୁଯୋଗ ଦେଇ ନ ଥିଲେ। ଉଭୟେ ମାତ୍ର ୭ ଓଭରରେ ୭୩ ରନ୍ ଯୋଡ଼ିଥିଲେ।
ବରୁଣ ଚକ୍ରବର୍ତୀ ମିଚେଲ୍ଙ୍କୁ ଆଉଟ୍ କରି ଭାରତକୁ ସଫଳତା ଦେଇଥିଲେ ମଧ୍ୟ ସେଫର୍ଟ ଅଟକି ନ ଥିଲେ। ତାଙ୍କୁ ସାଥ୍ ଦେଇଥିଲେ ଏହି ସିରିଜ୍ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ଫିଲିପ୍ସ। ସାଇଫର୍ଟ ୩୪ ବଲ୍ରେ ଅର୍ଦ୍ଧଶତକ ପୂର୍ବକ କରିଥିଲେ ଏବଂ ଫିଲିପ୍ସଙ୍କ ସହ ମିଶି ମାତ୍ର ୭ ଓଭରରେ ୮୬ ରନ୍ର ଦ୍ରୁତ ଭାଗୀଦାରି କରି ଦଳକୁ ବିଜୟର ଅତି ନିକଟତର କରିଦେଇଥିଲେ।
ସେଫର୍ଟ ନିଜ ଶତକରୁ ମାତ୍ର ୭ ରନ୍ ଦୂରରେ ଥିବାବେଳେ (୯୩ ରନ୍) ନୀତିଶ ରେଡ୍ଡୀଙ୍କ ଶିକାର ହୋଇଥିଲେ। ମାତ୍ର ଫିଲିପ୍ସ ଏହି ସିରିଜ୍ରେ ଚତୁଥ୍ ଥର ପାଇଁ ୫୦ ରନ୍ର ଅଙ୍କ ଅତିକ୍ରମ କରି ୧୮ତମ ଓଭରରେ ଦଳକୁ ସହଜ ବିଜୟ ଦେଇଥିଲେ। ଶେଷରେ ମ୍ୟାଚ୍ ନ୍ୟୁଜିଲାଣ୍ଡ ଜିତିଥିଲେ ହେଁ, ସିରିଜ୍ ଟ୍ରଫି ପୂର୍ବରୁ ହିଁ ୩-୨ ବ୍ୟବଧାନରେ ଭାରତ ନିଜ ନାମରେ କରିସାରିଛି।