ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଏହାର ପ୍ରଭାବ ଏବେ ସୀମାନ୍ତରେ ଦେଖିବାକୁ ମିଳିଛି। ଶନିବାର ମାଲଦାର ସୁଖଦେବପୁର ଅଞ୍ଚଳରେ ଥିବା ଭାରତ-ବାଂଲାଦେଶ ସୀମାରେ ଶତାଧିକ ବାଂଲାଦେଶୀ ନାଗରିକ ଜମା ହୋଇଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ପାଖରେ ମାରାତ୍ମକ ଅସ୍ତ୍ରଶସ୍ତ୍ର ଥିବା ଅଭିଯୋଗ ହେବା ପରେ ସୀମାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ଦେଖି ବର୍ଡର ସିକ୍ୟୁରିଟି ଫୋର୍ସ (BSF) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ସ୍ଥାନୀୟ ବୈଷ୍ଣବନଗର ଥାନା ପୋଲିସର ସହାୟତାରେ BSF, ତାରବାଡ଼ ହୋଇ ନ ଥିବା ସୀମାନ୍ତ ଅଞ୍ଚଳ ଦେଇ ଭାରତୀୟ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶୀଙ୍କ ଉଦ୍ୟମକୁ ସଫଳତାର ସହ ପଣ୍ଡ କରିଦେଇଛି।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଥିବା ବୈଷ୍ଣବନଗରର ସୁଖଦେବପୁର ସୀମା ସବୁବେଳେ ସମ୍ବେଦନଶୀଳ ରହିଆସିଛି। ଅଗଷ୍ଟ ୨୦୨୪ରେ ଶେଖ୍ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠାରୁ ଏହି ଅଞ୍ଚଳରେ ଭାରତ ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ ବାରମ୍ବାର ବୃଦ୍ଧି ପାଇଛି। ଏହି ସୀମାରେ କଣ୍ଟାତାର ବାଡ଼ ନ ଥିବାରୁ ଅନୁପ୍ରବେଶକାରୀମାନେ ପ୍ରାୟତଃ ଆକ୍ରମଣ କରି ସହଜରେ ଖସି ପଳାନ୍ତି। ପୂର୍ବରୁ ଯେତେବେଳେ BSF ଏଠାରେ କଣ୍ଟାତାର ଲଗାଇବାକୁ ଚେଷ୍ଟା କରିଥିଲା, ସେତେବେଳେ BGB (ବର୍ଡର ଗାର୍ଡ ବାଂଲାଦେଶ) ଏହାକୁ ରୋକିଥିଲା।

ଗତ ବର୍ଷ ବାଂଲାଦେଶୀଙ୍କ ଆକ୍ରମଣକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ଏବଂ ଏବେ ମଧ୍ୟ ସେମାନେ ପ୍ରତିହତ କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସୁରକ୍ଷା ଦୃଷ୍ଟିରୁ BSF ଓ ପୋଲିସ ସ୍ଥାନୀୟ ଲୋକଙ୍କୁ ସୀମା ଆଡ଼କୁ ଯିବାକୁ ଦେଉନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସୀମାର ଆରପଟେ ଥିବା ଚପାଇନଗରରୁ ଶତାଧିକ ବାଂଲାଦେଶୀ ଜମା ହୋଇ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି।

ପୂର୍ବତନ BSF ଅଧିକାରୀ ସମୀର ମିତ୍ରଙ୍କ  କହିବା ଅନୁଯାୟୀ, “ମାଲଦାର ସୁଖଦେବପୁର ସୀମା ଜାଲ୍ ନୋଟ୍ ଓ ଚୋରା ଚାଲାଣ ପାଇଁ ବେଶ୍ ବଦନାମ। ବର୍ତ୍ତମାନ ବାଂଲାଦେଶୀମାନେ ସେଠାରେ ଜମା ହେବା ପଛରେ କିଛି ବଡ଼ ଉଦ୍ଦେଶ୍ୟ ଥାଇପାରେ। ଆମେ ବାଂଲାଦେଶର ବଦମାସମାନଙ୍କୁ ଅସ୍ତ୍ରଶସ୍ତ୍ର ଧରି ଭାରତକୁ ଆସିବା ବରଦାସ୍ତ କରିପାରିବୁ ନାହିଁ। BSF ତୁରନ୍ତ BGBକୁ ଡାକି ସେମାନଙ୍କ ଉଦ୍ଦେଶ୍ୟ ବିଷୟରେ ପଚାରିବା ଉଚିତ୍।”

ଭାଜପା ବିଧାୟକ ତଥା ପୂର୍ବତନ NSG କମାଣ୍ଡୋ ଦୀପାଞ୍ଜନ ଚକ୍ରବର୍ତ୍ତୀଙ୍କ କହିବା ଅନୁଯାୟୀ, “ରାଜ୍ୟରେ ସରକାର ବଦଳିବା ପରେ ସୀମା ସୁରକ୍ଷା ପାଇଁ BSFକୁ ଜମି ହସ୍ତାନ୍ତର କରିବାକୁ ନୂତନ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ BSFକୁ ଜମି ପ୍ରଦାନ କରିଛନ୍ତି ଏବଂ ରାଜ୍ୟ ପୋଲିସ ଓ BSF ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଛି। ମାତ୍ର ମାସେ ଦେଢ଼ ମାସରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଶା କରିବା ଠିକ୍ ହେବନି, କିନ୍ତୁ ସୀମା ସୁରକ୍ଷା କ୍ଷେତ୍ରରେ ଏହାର ୧୦୦ ପ୍ରତିଶତ ସଫଳ ପରିଣାମ ନିଶ୍ଚୟ ଦେଖାଯିବ।”

Dharitri – Odisha’s No.1 Odia Daily

Share