କ୍ୟାନ୍‌ସର ଟ୍ୟୁମର ଚିହ୍ନଟର ନୂଆ ଉପାୟ

କଥାରେ ଅଛି- ‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ବର୍ତ୍ତମାନର ଉନ୍ନତ ଜ୍ଞାନକୌଶଳ ବିଶିଷ୍ଟ ଚିକିତ୍ସା ପ୍ରଣାଳୀରେ କ୍ୟାନ୍‌ସରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇ ତାହାର ଚିକିତ୍ସା କରାଯାଇପାରୁଛି। ହେଲେ ଏହା ଗୁରୁତର ଅବସ୍ଥାରେ ଥିଲେ ରୋଗୀ ମୃତ୍ୟୁମୁଖରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ କ୍ୟାନ୍‌ସର ଟ୍ୟୁମର ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଦୀର୍ଘ ପାଞ୍ଚ ବର୍ଷ ଧରି ଗବେଷଣା କରିବା ପରେ ଏଥିରେ ସଫଳ ହୋଇଛନ୍ତି ଲଣ୍ଡନ ୟୁନିଭର୍ସିଟିର କ୍ୟାନ୍‌ସର ବିଜ୍ଞାନୀମାନେ। ସେମାନେ ଏ ସମ୍ପର୍କରେ ଜିନ୍‌ର ଭୂମିକାକୁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିଥିଲେ। ଏପରି କେତେକ ଜିନ୍‌କୁ ତର୍ଜମା କରି କ୍ୟାନ୍‌ସର ଟ୍ୟୁମରକୁ ଚିହ୍ନଟ କରାଯାଇପାରିବ। କେବଳ ସେତିକି ନୁହେଁ, ଆଉ କେତେକ ଜିନ୍‌ ରହିଛି ଯାହା ଏପରି ଟ୍ୟୁମର ବୃଦ୍ଧିକୁ ପ୍ରତିହତ କରିପାରିବ। ତେବେ ଏ ନେଇ ଆହୁରି ଅଧିକ ତଥ୍ୟ ଖୋଜିବା ପାଇଁ ଆଉ କିଛି ବର୍ଷ ସମୟ ଲାଗିପାରେ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।