ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ଏକ ଭିଡିଓ ବାର୍ତ୍ତାରେ ତାଙ୍କ ଭାଇଙ୍କ ପୋଷ୍ଟମର୍ଟମକୁ ନେଇ କିଛି ନୂଆ ଦାବି କରିଛନ୍ତି ।

ଶ୍ୱେତାଙ୍କ କହିବା ଅନୁସାରେ, ନିକଟରେ ସେ ପୋଷ୍ଟମର୍ଟମ ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ସେହି ବ୍ୟକ୍ତିଙ୍କ କଥା ଅନୁସାରେ ସୁଶାନ୍ତଙ୍କ ଶରୀରରେ ଆଘାତ ଥିଲା, ତାଙ୍କ ପାଦ ଭାଙ୍ଗିଥିଲା ଏବଂ ଆଖିରେ ମଧ୍ୟ ଆଘାତ ଥିଲା ବୋଲି ଶ୍ୱେତା ଦାବି କରିଛନ୍ତି । ଏହାସହ ଏକ ଅସ୍ତ୍ର ବ୍ୟବହାର ହୋଇଥିବା ନେଇ ମଧ୍ୟ ସେ ଦାବି କରିଛନ୍ତି। ଭିଡିଓ ବାର୍ତ୍ତାରେ ଶ୍ୱେତା କେବଳ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦାବି କରିନାହାନ୍ତି, ବରଂ ନିଜ ଭାବନା ବିଷୟରେ ମଧ୍ୟ କହିଛନ୍ତି । ଆଟଲାଣ୍ଟାରୁ ଫେରିବା ପରେ ଅନେକ ପ୍ରଶଂସକ ତାଙ୍କୁ ଭେଟି ଭାବପ୍ରବଣ ହୋଇପଡ଼ିଥିବା ସେ କହିଛନ୍ତି।

ଶ୍ୱେତା କହିଛନ୍ତି ଯେ, ସେ ନିଜ ଜୀବନକୁ ଘୃଣା, ପ୍ରତିଶୋଧ କିମ୍ବା ରାଗରେ ଭରିବାକୁ ଚାହୁଁନାହାନ୍ତି । ବରଂ ପ୍ରେମ, ବିଶ୍ୱାସ, ଭଲପାଇବା ଓ ଈଶ୍ୱରଙ୍କ ପାଇଁ ଠିଆ ହୋଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି । ସେ ନିଜ ସମର୍ଥକମାନଙ୍କୁ ମଧ୍ୟ ନକାରାତ୍ମକତା ଭିତରେ ନ ବୁଡ଼ିବାକୁ ଆହ୍ୱାନ କରିଛନ୍ତି । ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍‌ ୨୦୨୦ରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ମିଳିଥିଲେ। ତାଙ୍କ ମୃତ୍ୟୁ ପ୍ରାରମ୍ଭରେ ଆତ୍ମହତ୍ୟା ଭାବେ ରେକର୍ଡ ହୋଇଥିଲା। ପରେ ମାମଲାର ବିଭିନ୍ନ ଦିଗରେ ତଦନ୍ତ ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ CBI ପୂର୍ବରୁ ତଦନ୍ତ କରି କ୍ଲୋଜର ରିପୋର୍ଟ ଦାଖଲ କରିଥିବା ରିପୋର୍ଟ ରହିଛି।

ସୁଶାନ୍ତଙ୍କ ମୃତ୍ୟୁ ସହ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା ମଧ୍ୟ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି । ୨୦୨୦ ଜୁନ୍‌ ୮ରେ ମୁମ୍ବାଇର ଏକ କୋଠାରୁ ଖସି ଦିଶାଙ୍କ ମୃତ୍ୟୁ ହୋଇଥିଲା। ସେପ୍ଟେମ୍ବର ୨, ୨୦୨୬ରେ ବମ୍ବେ ହାଇକୋର୍ଟ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ CBI ତଦନ୍ତ ଏବଂ FIR ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେପ୍ଟେମ୍ବରରେ CBI FIR ରୁଜୁ କରି ତଦନ୍ତ ଆରମ୍ଭ କରିଛି। କୋର୍ଟ ସ୍ପଷ୍ଟ କରିଥିଲେ ଯେ FIR ରୁଜୁ ହେବା ମାତ୍ରେ କୌଣସି ବ୍ୟକ୍ତି ଦୋଷୀ ପ୍ରମାଣିତ ହୋଇଯାଆନ୍ତି ନାହିଁ। ତଦନ୍ତରେ ମିଳୁଥିବା ପ୍ରମାଣ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏପରି ସ୍ଥିତିରେ ଶ୍ୱେତାଙ୍କ ସଦ୍ୟ ଦାବି ପୁଣିଥରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଆଲୋଚନା ବଢ଼ାଇଛି।

 

Dharitri – Odisha’s No.1 Odia Daily

Share