ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଥିବା ଶିକ୍ଷକ ଅଭାବ ସମସ୍ୟାର ଶେଷରେ ସମାଧାନ ହୋଇଛି। ଦୈନିକ ‘ଧରିତ୍ରୀ’ରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ସ୍କୁଲକୁ ଜଣେ ଶିକ୍ଷକ ନିଯୁକ୍ତ କରାଯାଇଛି। ସାହାଜଲଥା ଗ୍ରାମରେ ପ୍ରାୟ ୭୦ ପରିବାର ବସବାସ କରୁଥିବାବେଳେ ଗ୍ରାମର ଏହି ପ୍ରାଥମିକ ବିଦ୍ୟାଳୟରେ ବାଲ୍ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀ ଚାଲିଛି। ଏହି ସମସ୍ତ ଶ୍ରେଣୀ ପାଇଁ ପୂର୍ବରୁ ୨ଜଣ ଶିକ୍ଷକ କାର୍ଯ୍ୟରତ ଥିଲେ। ମାତ୍ର କିଛି ମାସ ପୂର୍ବରୁ ଜଣେ ଶିକ୍ଷକଙ୍କ ବଦଳି ହେବା ପରେ ସ୍କୁଲଟି କେବଳ ଜଣେ ଶିକ୍ଷକଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିଥିଲା। ଅବଶିଷ୍ଟ ଶିକ୍ଷକ ଅସୁସ୍ଥ ଥିବାରୁ ଅନେକ ସମୟରେ ତାଙ୍କ ଝିଅ ସ୍କୁଲକୁ ଆସି ପିଲାମାନଙ୍କୁ ଦେଖାଶୁଣା କରୁଥିଲେ। ଏହାଫଳରେ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହେଉଥିଲା ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଥିଲା। ଗ୍ରାମବାସୀ ବାରମ୍ବାର ବୀରମହାରାଜପୁର ବିଇଓଙ୍କ ନିକଟରେ ଶିକ୍ଷକ ନିଯୁକ୍ତି ଦାବି କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରି ନ ଥିଲା। ଏହି ପରିପ୍ରେକ୍ଷୀରେ ଦୈନିକ ‘ଧରିତ୍ରୀ’ରେ ‘୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ, ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା’ ଶୀର୍ଷକରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ବୀରମହାରାଜପୁର ବିଇଓ ସମସ୍ୟାକୁ ସ୍ବୀକାର କରି ଶିକ୍ଷକ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ମଙ୍ଗଳବାର ବ୍ଲକର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଛନ୍ଦସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ପଙ୍କଜ ଧରୁଆଙ୍କୁ ସାହାଜଲଥା ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇ ସେ ଯୋଗଦାନ କରିଛନ୍ତି। ନୂତନ ଶିକ୍ଷକଙ୍କ ଯୋଗଦାନ ପରେ ଗ୍ରାମବାସୀ, ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଖୁସି ବ୍ୟକ୍ତ କରିବା ସହ ଜନସ୍ବାର୍ଥ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ଦୈନିକ ‘ଧରିତ୍ରୀ’ ଖବର ପ୍ରକାଶନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।