ସୁମିତ-ତପସ୍ବିନୀ ଘଟଣାର ନୂଆମୋଡ଼: ଅଡିଓ, ଭିଡିଓ ପରେ ଏବେ ଫଟୋ ଭାଇରାଲ

ବ୍ରହ୍ମପୁର ଅଫିସ,୨୦।୧୨: ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦ ଛିଡ଼ୁ ଥିବା ବେଳେ ଦିନକୁ ଦିନ ଏଥିରେ ଯୋଡ଼ି ହେଉଛି ନୂଆ ଅଧ୍ୟାୟ। ଅଡିଓ, ଭିଡିଓ ଭାଇରାଲ ପରେ ଏବେ ସେମାନଙ୍କର କିଛି ଫଟୋ ଭାଇରାଲ ହେଉଛି। ଏହି ଫଟୋରୁ ଦେଖିବାକୁ ମିଳିଛି ଯେ, ତପସ୍ବିନୀ ଅସୁସ୍ଥ ଅଛନ୍ତି। ତାଙ୍କ ଦେହରେ ସାଲାଇନ ଲାଗିଛି। ଡାକ୍ତର ସୁମିତ ସାଲାଇନ ଧରି ତାଙ୍କ ପାଖରେ ବସିଛନ୍ତି ।
ତପସ୍ବିନୀଙ୍କ ସୂଚନା ଅନୁଯାୟୀ, ଏହି ଫଟୋଗୁଡ଼ିକ ତାଙ୍କ ଗର୍ଭପାତ ବେଳର, ଯାହା ତାଙ୍କ ବିନା ଅନୁମତିରେ କରାଯାଇଥିଲା।
ସେ କହିଛନ୍ତି, ସେଗୁଡ଼ିକ ମୋର ଗର୍ଭପାତ ବେଳର ଫଟୋ। ଘରେ ହିଁ ଗର୍ଭପାତ କରାଯାଇଥିଲା। ମୋ ସ୍ବାମୀ (ଡାକ୍ତର ସୁମିତ) ନିଜେ ଗର୍ଭପାତ କରିଥିଲେ। ଏହା ୨୦୨୦ ନଭେମ୍ବର/ଡିସେମ୍ବର ବେଳର କଥା।
ତପସ୍ବିନୀ ଆହୁରି କହିଛନ୍ତି, ଗର୍ଭପାତ ନେଇ ସେ (ଡାକ୍ତର ସୁମିତ) ମୋତେ କିଛି କହି ନ ଥିଲେ। ମୋର ମାଇଗ୍ରେସ ଅଛି ବୋଲି କହି ବଟିକା ଦେଇ ଗର୍ଭପାତ କରିଥିଲେ। ପରେ ମୁଁ ଜାଣିଲି ଯେ ମୋର ଗର୍ଭପାତ ହୋଇଛି। ଗର୍ଭପାତ ପରଠୁ ମୋର ବହୁତ ଦେହ ଖରାପ ହୋଇଥିଲା। ସେତେବେଳେ ମୋତେ ଘରେ ରଖି ଚିକିତ୍ସା କରୁଥିଲେ। ଆଉ ଏସବୁ ସେହି ସମୟର ଫଟୋ।