ଜିଲା ପ୍ରଶାସନର ନୂଆ ନିୟମ: ଦିନେ ଛାଡି ଦିନେ ଖୋଲିବ ଏହି ସବୁ ଦୋକାନ; ଜାଣନ୍ତୁ କେଉଁ କାଟାଗୋରୀରେ କିଏ

କୋରୁକୋଣ୍ଡା,୧୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପ୍ରଶାସନ ତରଫରୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ଖୋଲିବା ନେଇ ନୋଟିସ ଜାରି ହୋଇଛି। ତେବେ କେଉଁ କେଉଁ ଦୋକାନ କେଉଁ ସମୟରେ ଖୋଲିବ ସେ ନେଇ ମଧ୍ୟ ସ୍ପଷ୍ଟ କରାଯାଇଛି । ଦୋକାନଗୁଡ଼ିକୁ ୩ଟି କାଟାଗୋରୀ ଏ, ବି ଓ ସିରେ ବିଭକ୍ତ କରାଯାଇଛି। ସୋମବାର ଓ ବୁଧବାର ‘ଏ’ ଚିହ୍ନଟ ଦୋକାନଗୁଡ଼ିକ ଖୋଲିବ। ମଙ୍ଗଳବାର ଓ ଗୁରୁବାର ‘ବି’ ଚିହ୍ନଟ ହୋଇଥିବା ଦୋକାନ ଖୋଲିବା ନେଇ ସ୍ପଷ୍ଟ କରାଯାଇଛି। ସେହିପରି କାଟାଗୋରୀ ‘ଏ’ ରେ ଥିବା ଦୋକାନଗୁଡିକ ହିଁ ଶୁକ୍ରବାର ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ସ୍ପଷ୍ଟ କରାଯାଇଛି। ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନ୍‌ଏସି ତରଫରୁ ଦୋକାନଗୁଡ଼ିକ ଏ, ବି ଓ ସି ରେ ଚିହ୍ନଟ କରିବା ପାଇଁ କୁହାଯାଇଛି। ସେହିପରି ଔଷଧ ଦୋକାନଗୁଡିକ ମଧ୍ୟ ଏ, ଓ ବି କାଟାଗୋରୀ କରାଯାଇଛି। ଏହି ଦୋକାନଗୁଡ଼ିକ ଦିନେ ଛାଡି ଦିନେ ଖୋଲିବାକୁ ନିର୍ଦ୍ଦେଶ ରହିଛି। ସକାଳ ୭ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ନେଇ କୁହାଯାଇଛି। ଦୋକାନ ଖୋଲିବା ସମୟରେ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି।