ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ ମଧ୍ୟରୁ କୌଣସିଟି ଏପର୍ଯ୍ୟନ୍ତ କରିନାହାନ୍ତି, ତେବେ ଆଉ ବିଳମ୍ବ କରନ୍ତୁ ନାହିଁ। ଶେଷ ତାରିଖ ପରେ କାମ କଲେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିପାରେ କିମ୍ବା ଅନାବଶ୍ୟକ ସମସ୍ୟା ହୋଇପାରେ। ବିଶେଷକରି ଚାକିରି ସହ ଅନ୍ୟ କାମ କରୁଥିବା ବ୍ୟକ୍ତି, ବ୍ୟବସାୟ କରୁଥିବା କିମ୍ବା ସୋସିଆଲ ମିଡିଆରୁ ରୋଜଗାର କରୁଥିବା ଲୋକଙ୍କ ପାଇଁ ଏହି କଥାଗୁଡ଼ିକ ଜାଣିବା ଜରୁରୀ।

ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ- ଯଦି ଆପଣ ଚାକିରି ବ୍ୟତୀତ ବ୍ୟବସାୟ କିମ୍ବା ଅନ୍ୟ କୌଣସି ଉତ୍ସରୁ ରୋଜଗାର କରୁଛନ୍ତି ଏବଂ ଆପଣଙ୍କ ଖାତାର ଅଡିଟ୍ ଆବଶ୍ୟକ ନୁହେଁ, ତେବେ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୬ ରହିଛି। ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍, ଫ୍ରିଲାନ୍ସ କାମ କିମ୍ବା ଅନ୍ୟ କୌଣସି ମାଧ୍ୟମରୁ ରୋଜଗାର କରୁଥିବା ଲୋକ ମଧ୍ୟ ଏହାର ପରିସରରେ ଆସିପାରନ୍ତି। ତେଣୁ ଆପଣଙ୍କ ମୋଟ ଆୟର ସଠିକ୍ ହିସାବ ଦେଖାଇ ସମୟ ମଧ୍ୟରେ ରିଟର୍ଣ୍ଣ ଦାଖଲ କରନ୍ତୁ। ଶେଷ ତାରିଖ ପରେ ରିଟର୍ଣ୍ଣ ଦାଖଲ କଲେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିପାରେ।

ନିଜର ସମସ୍ତ ରୋଜଗାରର ହିସାବ ଯାଞ୍ଚ କରନ୍ତୁ- ଯଦି ଆପଣଙ୍କ ଆୟ କେବଳ ଚାକିରିରୁ ହେଉନାହିଁ, ତେବେ ଥରେ ନିଜର ସମସ୍ତ ଆୟର ହିସାବ ଯାଞ୍ଚ କରନ୍ତୁ। ବ୍ୟାଙ୍କରୁ ମିଳିଥିବା ସୁଧ, ଶେୟର କିମ୍ବା ଅନ୍ୟ ନିବେଶରୁ ହୋଇଥିବା ଆୟ, ଘରଭଡ଼ାରୁ ମିଳୁଥିବା ଟଙ୍କା, ସୋସିଆଲ ମିଡିଆରୁ ହୋଇଥିବା ରୋଜଗାର ଭଳି ସମସ୍ତ ଆୟକୁ ଯାଞ୍ଚ କରନ୍ତୁ। ଅନେକ ସମୟରେ ଲୋକେ କୌଣସି ଏକ ଆୟକୁ ରିଟର୍ଣ୍ଣରେ ଦେଖାଇବାକୁ ଭୁଲିଯାଆନ୍ତି। ପରେ ଏହି ଛୋଟ ଭୁଲ୍ ସମସ୍ୟାର କାରଣ ହୋଇପାରେ। ତେଣୁ ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ନିଜ ବ୍ୟାଙ୍କ ଖାତା ଓ ଆବଶ୍ୟକ ଦସ୍ତାବିଜଗୁଡ଼ିକୁ ଥରେ ଭଲ ଭାବରେ ଯାଞ୍ଚ କରନ୍ତୁ।

କ୍ରେଡିଟ୍ କାର୍ଡର ନୂଆ ନିୟମ ଯାଞ୍ଚ କରନ୍ତୁ- ଆପଣଙ୍କ ପାଖରେ କ୍ରେଡିଟ୍ କାର୍ଡ ଥିଲେ, ଅଗଷ୍ଟ ମାସରେ ବ୍ୟାଙ୍କ ଏଥିରେ କୌଣସି ନୂଆ ନିୟମ କିମ୍ବା ଚାର୍ଜରେ ପରିବର୍ତ୍ତନ କରିଛି କି ନାହିଁ, ଥରେ ଯାଞ୍ଚ କରନ୍ତୁ। ଅନେକ ସମୟରେ ବ୍ୟାଙ୍କ କିଛି ପେମେଣ୍ଟ ଉପରେ ମିଳୁଥିବା ରିୱାର୍ଡ କିମ୍ବା ସୁବିଧା କମାଇ ଦିଅନ୍ତି କିମ୍ବା କୌଣସି ସେବା ଉପରେ ନୂଆ ଚାର୍ଜ ଲଗାଇଥାନ୍ତି। ନୂଆ ନିୟମଗୁଡ଼ିକ ନିଶ୍ଚିତ ଭାବେ ପଢ଼ନ୍ତୁ। ଏହାଦ୍ୱାରା ପରେ କ୍ରେଡିଟ୍ କାର୍ଡ ବିଲ୍ ଦେଖି ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ ନାହିଁ।

ବ୍ୟାଙ୍କ ଖାତାର ତଥ୍ୟ ଯାଞ୍ଚ କରନ୍ତୁ- ନିଜ ବ୍ୟାଙ୍କ ଖାତାରେ ମୋବାଇଲ୍ ନମ୍ବର, ଇ-ମେଲ୍ ଏବଂ ଅନ୍ୟ ଜରୁରୀ ତଥ୍ୟ ଠିକ୍ ଅଛି କି ନାହିଁ, ଥରେ ଯାଞ୍ଚ କରନ୍ତୁ। ଯଦି ବ୍ୟାଙ୍କ କୌଣସି ଦସ୍ତାବିଜ ଅପଡେଟ୍ କରିବାକୁ କହିଛି, ତେବେ ସମୟ ଥାଉଥାଉ ଏହାକୁ ପୂରଣ କରନ୍ତୁ। ଏହା ସହ ନିଜ ଖାତାରୁ କେତେ ଟଙ୍କା ଆସୁଛି ଓ ଯାଉଛି, ତା’ ଉପରେ ମଧ୍ୟ ନଜର ରଖନ୍ତୁ। ଯଦି ଆପଣଙ୍କ ଖାତାରେ ଏପରି କୌଣସି ଅଜଣା ଟ୍ରାଞ୍ଜାକ୍ସନ୍ ଦେଖାଯାଏ, ଯାହା ଆପଣ କରିନାହାନ୍ତି, ତେବେ ତୁରନ୍ତ ନିଜ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ। ତେଣୁ ଅଗଷ୍ଟ ମାସ ଶେଷ ହେବା ପୂର୍ବରୁ ନିଜର ଟ୍ୟାକ୍ସ, ଆୟ, କ୍ରେଡିଟ୍ କାର୍ଡ ଓ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଥରେ ଯାଞ୍ଚ କରିନିଅନ୍ତୁ।

Share