ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ ନିଜର LPG କନେକ୍ସନ ସରେଣ୍ଡର (ଫେରସ୍ତ) କରିବାକୁ ପଡ଼ିବ, କାରଣ ଗୋଟିଏ ଘରେ କେବଳ ଗୋଟିଏ ହିଁ କନେକ୍ସନ ରହିବ। କିନ୍ତୁ LPG କନେକ୍ସନ ସରେଣ୍ଡର କରିବା ପରେ ମଧ୍ୟ ଟ୍ରାନ୍ସଫର ଭାଉଚର ଜରିଆରେ ଏହାକୁ ପୁଣି ଥରେ ଆକ୍ଟିଭେଟ (ଚାଲୁ) କରାଯାଇପାରିବ।
ନିୟମ ଅନୁଯାୟୀ, ଭାରତ, ଇଣ୍ଡେନ ଏବଂ HP ଗ୍ୟାସ ଏଜେନ୍ସି LPG କନେକ୍ସନ ସରେଣ୍ଡର କରୁଥିବା ଗ୍ରାହକମାନଙ୍କୁ ଟ୍ରାନ୍ସଫର ଭାଉଚର ଜାରି କରିବେ। ଏହି ଭାଉଚରକୁ ସେତେବେଳେ ବ୍ୟବହାର କରାଯାଇପାରିବ, ଯେତେବେଳେ ଗ୍ରାହକ ଏଭଳି କୌଣସି ଅଞ୍ଚଳକୁ ସିଫ୍ଟ ହେବେ ଯେଉଁଠାରେ PNG ସପ୍ଲାଇ ନାହିଁ। ଭାଉଚର ଜରିଆରେ ଗ୍ରାହକମାନେ ନିଜର ପୁରୁଣା LPG କନେକ୍ସନକୁ ପୁଣି ଚାଲୁ କରିପାରିବେ, ଏଥିପାଇଁ ନୂଆ କନେକ୍ସନ ନେବାର ଆବଶ୍ୟକତା ପଡ଼ିବ ନାହିଁ।
ଏଠାରେ ଜଣାଇ ରଖୁଛୁ ଯେ, ଟ୍ରାନ୍ସଫର ଭାଉଚର ଜରିଆରେ ଗ୍ୟାସ ଗ୍ରାହକଙ୍କ ପାଖରେ ୨ଟି ବିକଳ୍ପ ରହିବ। ପ୍ରଥମତଃ, LPG କନେକ୍ସନ ବଦଳରେ PNG କନେକ୍ସନ ମିଳିଯିବ। ଦ୍ୱିତୀୟତଃ, PNG କନେକ୍ସନ ନେବା ପରେ ମଧ୍ୟ ନନ-PNG (ଯେଉଁଠି PNG ନାହିଁ) ଅଞ୍ଚଳରେ LPG କନେକ୍ସନ ମିଳିଯିବ। ଅନ୍ୟ ଅର୍ଥରେ କହିବାକୁ ଗଲେ, କୌଣସି ନା କୌଣସି ପ୍ରକାରେ ସାରା ଦେଶର ଗ୍ୟାସ ଗ୍ରାହକଙ୍କ ପାଖରେ ଉଭୟ ଗ୍ୟାସ କନେକ୍ସନର ସୁବିଧା ରହିଯିବ।
ଏହି ନୂଆ ନିୟମ ସେହି ଗ୍ୟାସ ଗ୍ରାହକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ, ଯେଉଁମାନଙ୍କର ଚାକିରି ପ୍ରାୟତଃ ବଦଳି (ଟ୍ରାନ୍ସଫର) ହୋଇଥାଏ। ଭଡ଼ା ଘରେ ରହୁଥିବା ଲୋକ, ଅନ୍ୟ ସହରରେ ପଢ଼ୁଥିବା ଛାତ୍ରଛାତ୍ରୀ, ପ୍ରବାସୀ ପରିବାର ଏବଂ ସମୟ ସମୟରେ ସହର ବଦଳାଉଥିବା ଲୋକଙ୍କ ପାଇଁ ମଧ୍ୟ ଏହି ନିୟମ ଫାଇଦା ଆଣିଦେବ। ସେମାନଙ୍କୁ ପ୍ରତିଥର ନୂଆ ଗ୍ୟାସ କନେକ୍ସନ ନେବାର ଚିନ୍ତା କରିବାକୁ ପଡ଼ିବ ନାହିଁ।