ପୁଟିନ୍‌ଙ୍କଠାରୁ ଆରମ୍ଭ କରି ଏହି ଦେଶର ରାଷ୍ଟ୍ରପତିମାନେ ଦ୍ରୌପଦୀଙ୍କୁ ଜଣାଇଲେ ଶୁଭେଚ୍ଛା

ମସ୍କୋ/କଲମ୍ବୋ/ମାଲେ/କାଠମାଣ୍ଡୁ,୨୫।୭: ରୁଷିଆ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ନେପାଳର ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶ୍ୱ ନେତା ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ସହିତ ନିଜ ନିଜ ଦେଶର ବହୁମୁଖୀ ସମ୍ପର୍କ ବଢ଼ାଇବା ପାଇଁ ମୁର୍ମୁଙ୍କ ସହ କାମ କରିବାକୁ ସେମାନେ ଇଚ୍ଛା ପ୍ରକାଶ କରିଛନ୍ତି। ଏହିକ୍ରମରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଭାରତର ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପାକ୍ଷିକ ଗଠନମୂଳକ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିବାକୁ ସେ ଆଶା ପ୍ରକଟ କରିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଆମେ ଭାରତ ସହ ସ୍ବତନ୍ତ୍ର ରଣନୀତିକ ଭାଗିଦାରୀ ସମ୍ପର୍କକୁ ଗୁରୁତ୍ୱ ଦେଇଥାଉ। ଆଶା କରୁଛି, ରାଷ୍ଟ୍ରର ମୁଖ୍ୟ ଭାବେ ତାଙ୍କର କାର୍ଯ୍ୟକଳାପ ଆମର ସହଯୋଗୀମାନଙ୍କ ହିତ ତଥା ଅନ୍ତର୍ଜାତୀୟ ସ୍ଥିରତା ଏବଂ ନିରାପତ୍ତା ପାଇଁ ରୁଷିଆ-ଭାରତୀୟ ରାଜନୈତିକ ଆଲୋଚନା ଓ ବିଭିନ୍ନ କ୍ଷେତ୍ରରେ ଗଠନମୂଳକ ସହଯୋଗକୁ ଆହୁରି ସୁଦୃଢ଼ କରିବ। ସେହିପରି ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ରାନିଲ ୱିକ୍ରମସିଂଘେ ମଧ୍ୟ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶ ମଧ୍ୟରେ ନିବିଡ ସମ୍ପର୍କ ଥିବା ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ମଧ୍ୟ ମୁର୍ମୁଙ୍କୁ ତାଙ୍କର ଐତିହାସିକ ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ମୁର୍ମୁଙ୍କ ଦକ୍ଷତା ଏବଂ ଅଭିଜ୍ଞତା ନିଃସନ୍ଦେହରେ ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇଯିବ। ତାଙ୍କ ନେତୃତ୍ୱରେ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଇଛୁକ ଅଛି ବୋଲି ରାଷ୍ଟ୍ରପତି ଇବ୍ରାହିମ କହିଛନ୍ତି। ଅନ୍ୟପଟେ ନେପାଳର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସହଯୋଗ ନୂତନ ଉଚ୍ଚତାରେ ପହଞ୍ଚିବ ବୋଲି ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି।

Share