Categories: ଜାତୀୟ

ନୂଆ ସଂସଦ ଭବନ ଉଦ୍‌ଘାଟନ ପ୍ରସଙ୍ଗ: ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ଏନେଇ ଉଦ୍‌ଘାଟନୀ ଉତ୍ସବକୁ ୨୧ଟି ବିରୋଧୀ ଦଳ ବର୍ଜନ କରିଥିବାବେଳେ ୨୪ଟି ଦଳ ଏହି ଉତ୍ସବରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ସଂସଦ ଭବନକୁ ଉଦ୍‌ଘାଟନ କରିବା ନେଇ ବିବାଦ ଦେଖାଯାଇଥିବବେଳେ ରାଷ୍ଟ୍ରପତି ଏହାକୁ ଉଦ୍‌ଘାଟନ କରନ୍ତୁ ବୋଲି ବିରୋଧୀ ଦାବି ରଖିଛନ୍ତି। ଏନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ଶୁକ୍ରବାର ଏହାର ଶୁଣାଣି କରି ଏହି ଆବେଦନକୁ ଖାରଜ କରିଛନ୍ତି। ଏପରି ଯାଚିକାର ଶୁଣାଣି କରିବା ତାଙ୍କର କାମ ନୁହେଁ ବୋଲି କୋର୍ଟ କହିଛନ୍ତି।

ତାମିଲନାଡୁର ଓକିଲ ସି.ଆର୍‌ ଜୟସୁକିନ ପିଟିସନରେ କହିଥିଲେ ଯେ, ରାଷ୍ଟ୍ରପତି ହେଉଛନ୍ତି ଦେଶର ସାମ୍ବିଧାନିକ ମୁଖ୍ୟ। ସେଥିପାଇଁ ନୂତନ ସଂସଦ ଭବନକୁ କେବଳ ତାଙ୍କ ଦ୍ୱାରା ଉଦ୍‌ଘାଟନ କରାଯିବା ଉଚିତ୍‌।

ସୁପ୍ରିମକୋର୍ଟରେ ଜଷ୍ଟିସ ଜେ.କେ ମାହେଶ୍ୱରୀ ଏବଂ ପି.ଏସ ନରସିଂହଙ୍କ ଅବକାଶକାଳୀନ ବେଞ୍ଚର ଏହି ମାମଲାର ଶୁଣାଣି ବେଳେ କହିଛନ୍ତିି, “ଧାରା ୭୯ ଆମ ସମ୍ବିଧାନର ଏକ ବ୍ୟବସ୍ଥାକୁ ବ୍ୟାଖ୍ୟା କରିଥାଏ। ତେବେ ଏଥିରେ କୌଣସି ସ୍ଥାନରେ ଦର୍ଶାଯାଇ ନାହିଁ କି, ରାଷ୍ଟ୍ରପତିଙ୍କ ଦ୍ୱାରା ଏହା ଉଦ୍‌ଘାଟନ କରିବା ଆବଶ୍ୟକ”।

Share