ହର୍ମୁଜ୍‌ ପରିଚାଳନା କରିବ ଇରାନର ନୂଆ ସଂସ୍ଥା

ତେହରାନ୍‌,୧୯ା୫: ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରେ ଇନ୍ଧନ ପରିବହନର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ତେହରାନ୍‌ ବନ୍ଦ କରି ରଖିଥିଲାବେଳେ ଜାହାଜ ଚଳାଚଳ ପାଇଁ ଅନୁମତି ଦେବାକୁ ଦେୟ ଚାହୁଁଛି। ହର୍ମୁଜ୍‌ ପରିଚାଳନା ପାଇଁ ଇରାନର ଶୀର୍ଷ ସୁରକ୍ଷା ସଂସ୍ଥା ଏକ ନୂଆ କମିଟି ଗଠନ କରିବା ନେଇ ସୋମବାର ଘୋଷଣା କରିଛି। ପର୍ସିଆନ୍‌ ଗଲ୍ଫ ଷ୍ଟ୍ରେଟ୍‌ ଅଥରିଟି (ପିଜିଏସ୍‌ଏ) ପାଇଁ ସୁପ୍ରିମ ନ୍ୟାଶନାଲ ସିକ୍ୟୁରିଟି କାଉନ୍‌ସିଲ୍‌ ଏକ ପୋଷ୍ଟ ଶେୟାର କରି କହିଛି, ହର୍ମୁଜ୍‌ ଷ୍ଟ୍ରେଟ୍‌ ପରିଚାଳନାର ତତ୍କାଳ ଅପ୍‌ଡେଟ୍‌ ଓ ସଦ୍ୟତମ ଅଗ୍ରଗତି ତଥ୍ୟ ପ୍ରଦାନ କରିବ। ନୂଆ ସଂସ୍ଥା କ’ଣ କରିବ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଏକଚାଟିଆ କ୍ଷମତା ପ୍ରୟୋଗ ନିମନ୍ତେ ଏକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଇରାନର ପ୍ରେସ୍‌ ଟିଭି ପୂର୍ବରୁ କହିଥିଲା। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ପାଖକୁ ଇମେଲ୍‌ରେ ନିୟମାବଳୀ ପଠାଯିବ। ଏପ୍ରିଲ ୮ରୁ ଆମେରିକା ଓ ଇରାନ ମଧ୍ୟରେ ଅସ୍ଥାୟୀ ଭାବେ ଅସ୍ତ୍ରବିରତି ଲାଗୁ ହୋଇଥିଲେ ମଧ୍ୟ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଦେଇ ଜାହାଜ ଚଳାଚଳ ଫେବୃଆରୀ ୨୮ ପରଠୁ ପ୍ରାୟତଃ ବନ୍ଦ ରହିଛି। ଏହି ଜଳପଥ ଉପରେ ଇରାନର ନିୟନ୍ତ୍ରଣ ଯୋଗୁ ବିଶ୍ୱ ବଜାରରେ ତୈଳ ଦର ଅତ୍ୟଧିକ ବଢ଼ିଥିବାବେଳେ ତେହରାନକୁ ଲାଭ ଉଠାଇବାର ସୁଯୋଗ ଦେଇଛି। ଏହାକୁ ବିରୋଧ କରି ଆମେରିକା ନୌସେନା ଇରାନର ବନ୍ଦରଗୁଡ଼ିକୁ ଅବରୋଧ କରି ରଖିଛି। ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ କୌଣସି ରାଜିନାମା ହୋଇପାରି ନ ଥିବାବେଳେ ଆଲୋଚନା ପାଇଁ ଉଭୟ ଦେଇ ୫ଟି ଲେଖାଏ ସାନି ସର୍ତ୍ତ ରଖିଛନ୍ତି।

Dharitri – Odisha’s No.1 Odia Daily