ପଦ୍ମପୁର,୯।୬(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅଧୀନରେ ନିର୍ମିତ ଆଧୁନିକ ଦୈନିକ ବଜାର ଆଜି ବିଧିବଦ୍ଧ ଭାବେ ଉଦ୍ଘାଟନ କରାଯାଇଛି। ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବଜାରର ଉଦ୍ଘାଟନ କରିଥିଲେ। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟକ ଯୋଜନା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଏବଂ ରାଜସ୍ବ ହସ୍ତାନ୍ତର ପାଣ୍ଠି (Devolution Fund) ସହାୟତାରେ ପ୍ରାୟ ୧.୫୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି।
ଏହି ନୂତନ ବଜାରରେ ବ୍ୟବସାୟୀଙ୍କ ପାଇଁ ୯୦ଟି ସେଲ (ଷ୍ଟଲ)ର ବ୍ୟବସ୍ଥା ରହିଛି, ଯାହା ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯାଇସାରିଛି। ଏଠାରେ ପରିବା ବ୍ୟବସାୟୀ, ଚାଷୀ, କପଡ଼ା ବ୍ୟବସାୟୀ, ବହି ଦୋକାନ ଏବଂ ଫ୍ୟାନ୍ସି ଷ୍ଟୋର୍ ସମେତ ବିଭିନ୍ନ ବ୍ୟବସାୟୀ ନିଜର ବ୍ୟବସାୟ ସୁରୁଖୁରୁରେ କରିପାରିବେ। ଏହି ବଜାର ପରିସରରେ ଶୌଚାଳୟ, ପାନୀୟ ଜଳର ସୁବିଧା, ପାଚେରି ଗେଟ ଏବଂ ସୁରକ୍ଷା ପାଇଁ ସିସିଟିଭି (CCTV) କ୍ୟାମେରା ଭଳି ସୁବିଧା ରହିଛି। ଏହା ସହିତ ବଜାର ପ୍ରାଙ୍ଗଣର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଏନ.ଏ.ସି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବଳକା କାର୍ଯ୍ୟରେ ପାର୍କିଂ ସୁବିଧା ଅନ୍ୟତମ। ବ୍ୟବସାୟୀମାନଙ୍କ ପାଇଁ ଏହି ସମସ୍ତ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ମାତ୍ର ୧୦ ଟଙ୍କା ଦୈନିକ ଶୁଳ୍କ ଧାର୍ଯ୍ୟ କରାଯାଇଛି।
ଉଦ୍ଘାଟନ ଅବସରରେ ମାନ୍ୟବର ସାଂସଦ, ବିଧାୟିକା ଏବଂ ଏନଏସି ଅଧ୍ୟକ୍ଷଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନତ ପାଢ଼ୀ, ପୌର ଯନ୍ତ୍ରୀ ରାମ ଚନ୍ଦ୍ର ନାୟକ, ସହାୟକ ଯନ୍ତ୍ରୀ ଅଶୋକ କୁମାର ଭୋଇଙ୍କ ସମେତ ସମସ୍ତ କାଉନସିଲର ତଥା ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ।