ମହିଳା ସଶକ୍ତୀକରଣର ନୂଆ ଫର୍ମୁଲା

କେନ୍ଦ୍ରାପଡ଼ା ଅଫିସ,୨୮ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃୟାରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜନୀତିରେ ମହିଳା ସଶକ୍ତୀକରଣ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖାଯାଇଛି। ୩୨ ଜିଲା ପରିଷଦ ମଧ୍ୟରୁ ୧୬ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୨୪୯ ପଞ୍ଚାୟତରୁ ୧୨୫ଟି ଲେଖାଏ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ତେବେ ମହିଳା ସଂରକ୍ଷଣକୁ ନେଇ ଜିଲାରେ ନୂଆ ଫର୍ମୁଲା ଦେଖିବାକୁ ମିଳୁଛି। ମହିଳା ବର୍ଗ ଆସନ ପାଇଁ ପୂର୍ବରୁ ଦାବିଦାର ଥିବା ପୁରୁଷଙ୍କ ବଦଳରେ ପରିବାରର ମହିଳାଙ୍କୁ ନିର୍ବାଚନ ମଇଦାନକୁ ଅଣାଯାଇଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ସ୍ବାଗତିକା ଜେନା ଚଳିତଥର ନିର୍ବାଚନରେ ପ୍ରଥମ ଥର ପାଇଁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ସ୍ବାଗତିକା ହେଉଛନ୍ତି କଂସାର ସରପଞ୍ଚ ପ୍ରଦ୍ୟୁମ୍ନ ଜେନାଙ୍କ ସ୍ତ୍ରୀ। ପ୍ରଦ୍ୟୁମ୍ନ ଗତ ଦୁଇ ନିର୍ବାଚନରେ ସରପଞ୍ଚ ପଦବୀରେ ଥିଲେ। ତେବେ ଚଳିତ ଥର ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ସ୍ବାଗତିକାଙ୍କୁ ପ୍ରାର୍ଥୀ କରାଯାଇ ଥିବା ପ୍ରଦ୍ୟୁମ୍ନ କହିଛନ୍ତି। ଏହି ବ୍ଲକର ଚକ୍ରୋଡା ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଭରତ ରାଉତ। ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ଭରତଙ୍କ ସ୍ତ୍ରୀ ସୁଭଦ୍ରା ରାଉତ ପ୍ରାର୍ଥୀ ହୋଇଛନ୍ତି। ସୁଭଦ୍ରା କୁହନ୍ତି, ସ୍ବାମୀ ସରପଞ୍ଚ ଥିବା ସମୟରେ ପଞ୍ଚାୟତକୁ ବିକଶିତ କରାଯାଇଛି। ତୃଣମୂଳସ୍ତରରେ ଏହି ବିକାଶ ଧାରାକୁ ଅଧିକ ଗତିଶୀଳ କରିବା ପାଇଁ ସ୍ବାମୀଙ୍କ ଉତ୍ସାହରେ ସାମିଲ ହୋଇଛନ୍ତି। ସେହିପରି ଏହି ପଞ୍ଚାୟତର ସମିତିସଭ୍ୟ ଶିବପ୍ରସାଦ ବିଶ୍ୱାଳଙ୍କ ବୋହୂ ମିତାଲି ସାମନ୍ତରାୟ ନିର୍ବାଚନ ମଇଦାନରେ ଅଛନ୍ତି। ଗୁଲନଗର ପଞ୍ଚାୟତ ସରପଞ୍ଚ ପୀତବାସ ବେହେରା ଚଳିତ ନିର୍ବାଚନରେ ସ୍ତ୍ରୀ ନମିତା ସ୍ବାଇଁଙ୍କୁ ପ୍ରାର୍ଥୀ କରିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ କୁମାର ସିଂହ, ବିଜୟ କୁମାର ମଣ୍ଡଳ, ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ କହିଛନ୍ତି ଯେ, ରାଜନୀତିରେ ମହିଳା ପୁରୁଷ ସମକକ୍ଷ ହେବା ଗଣତନ୍ତ୍ର ପାଇଁ ଶୁଭଙ୍କର। ତେବେ ବିଗତ କାର୍ଯ୍ୟକଳାପକୁ ଦେଖିଲେ ମହିଳାଙ୍କୁ ଢାଲ କରି ପରିବାରର ପୁରୁଷ ବ୍ୟକ୍ତି ହିଁ ରାଜନୀତି କରୁଛନ୍ତି। ମହିଳାଙ୍କୁ ନାମକୁମାତ୍ର ରାଜନେତାର ସମ୍ମାନ ମିଳୁଛି। ତେବେ ଚଳିତବର୍ଷ ନାମାଙ୍କନ ପତ୍ରକୁ ନିରୀକ୍ଷଣ କଲେ ବହୁ ଯୁବ ପ୍ରତିଭାଙ୍କ ସହ ଶିକ୍ଷିତା ମହିଳା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ଆଗାମୀ ରାଜନୀତି ଓ ସ୍ଥାନୀୟ ଅଞ୍ଚଳ ବିକାଶରେ ମହିଳାଙ୍କ ବଡ ଭୂମିକା ରହିବ ବୋଲି ସେମାନେ ମତ ଦେଇଛନ୍ତି।