ଭଞ୍ଜନଗର, ୨୭।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରାଯାଇଛି। ଏହି ଅବସରରେ ମହାବିଦ୍ୟାଳୟରେ ପାଦ ଥାପିଛନ୍ତି ନବାଗତ ଛାତ୍ରୀଛାତ୍ର । ଉଭୟ ମହାବିଦ୍ୟାଳୟରେ ଆୟୋଜିତ ସ୍ବାଗତ ସମାରୋହରେ ନୂତନ ଛାତ୍ରୀଛାତ୍ରଙ୍କୁ ମହାବିଦ୍ୟାଳୟର ଶୃଙ୍ଖଳା, ଶିକ୍ଷାଦାନ ପ୍ରଣାଳୀ ଓ ଭବିଷ୍ୟତ ଗଠନ ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କୁ ନିଷ୍ଠା, ଶୃଙ୍ଖଳା ଓ ନିୟମିତ ଅଧ୍ୟୟନ ମାଧ୍ୟମରେ ନିଜର ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଜୀବନରେ ସଫଳତା ପାଇଁ ଶିକ୍ଷା ସହିତ ଭଲ ଆଚରଣ ଓ ଶୃଙ୍ଖଳିତ ଜୀବନଶୈଳୀ ଅତ୍ୟନ୍ତ ଜରୁରୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ନିୟମିତ ଉପସ୍ଥାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଉପସ୍ଥାନ ୭୫ ପ୍ରତିଶତରୁ କମ୍ ରହିଲେ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଇବାରେ ସମସ୍ୟା ହୋଇପାରେ ବୋଲି ଅତିଥିମାନେ ଛାତ୍ରୀଛାତ୍ରଙ୍କୁ ସଚେତନ କରିଥିଲେ। ତେଣୁ ନିୟମିତ ଭାବେ ମହାବିଦ୍ୟାଳୟ ଆସି ଶିକ୍ଷା ଗ୍ରହଣ କରିବା ସହ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବାକୁ ସେମାନେ ଆହୱାନ ଦେଇଥିଲେ। ସଭାରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଡ. ରବୀନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ଦେବାଶିଷ ସ୍ବାଇଁ, ରଜତ ମିଶ୍ର, ଦୁର୍ଗା ପ୍ରସାଦ ସାହୁ, ଦିଗନ୍ତ କୁମାର ଜେନା, ବିଦେଶୀ ରାଉତ, ରାଜୁ ଶବର , ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ, ଅନିତା ମହାପାତ୍ର, ପ୍ରଜ୍ଞା ପରମିତା ଦାସ ପ୍ରମୁଖ ଯୋଗଦେଇ ନବାଗତ ଛାତ୍ରୀଛାତ୍ରଙ୍କୁ ଭବିଷ୍ୟତ ଗଠନ ପାଇଁ ବିଭିନ୍ନ ଉପଦେଶ ଓ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଆର ହରିଶ ଧନ୍ୟବାଦ ସେହିପରି ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସ୍ବାଗତ ସମାରୋହରେ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ପ୍ରଧାନ ଅଧ୍ୟକ୍ଷତା କରି ନବାଗତ ଛାତ୍ରୀମାନଙ୍କୁ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରି ଶିକ୍ଷା ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରାଧ୍ୟାପିକା ଉର୍ମିଳା ପାଟ୍ଟଯୋଷୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ସନ୍ଧ୍ୟାରାଣୀ ପ୍ରଧାନ ସଭାକୁ ସଂଯୋଜନା କରିଥିଲେ। ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ନବାଗତ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।