ଲୁହ ଭିଜା ଆଖିରେ ନୂଆ ସପନ, ରୁଷିଆ ରକେଟ ମାଡ଼ରୁ ରକ୍ଷା ପାଇଥିବା ଗର୍ଭବତୀ ଶିଶୁକନ୍ୟାଙ୍କୁ ଜନ୍ମ ଦେଲେ…

କ୍ୱିଭ୍‌, ୧୩।୩ : ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ତେବେ ଯୁଦ୍ଧର ଭୋକ ଶୋଷ ଆଉ ଲୁହ ଭିଜା ଆଖିରେ ବି ନୂଆ ସପନ ଝଲସୁଛି। ୟୁକ୍ରେନ୍‌ର ମାରିଆପୋଲ୍‌ର ଜଣେ ଗର୍ଭବତୀ ମହିଳା ଯିଏକି ରୁଷିଆ ରକେଟ୍‌ ମାଡ଼ରୁ ରକ୍ଷା ପାଇଥିଲେ, ସେ ଏବେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି।

ରୁଷିଆର ରକେଟ ମାଡ଼ରେ ମାରିଆପୋଲ୍‌ର ଏକ ହସ୍ପିଟାଲ ଭାଙ୍ଗିରୁଜି ଯାଇଥିଲା। ଏହି ରକେଟ ମାଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଠାରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିବା ଗର୍ଭବତୀ ମହିଳା ମାରିଆନା ଭିସେଗିରସ୍କାୟାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ସ୍ଥାନାନ୍ତରଣ କରାଯାଇଥିଲା। ମାରିଆନାଙ୍କ ଭିଡ଼ିଓ ସେତେବେଳେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହୋଇଥିଲା। ପରେ ୨୬ ବର୍ଷ ବୟସ୍କା ମାରିଆନା ସୁରକ୍ଷିତ ଭାବେ ଗୁରୁବାର ରାତିରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସଙ୍କଟ ମୋଡ଼ରେ ବି ନୂଆ ଆଶାର କିରଣ ସୃଷ୍ଟି କରୁଥିବା ମାରିଆନା ଏବଂ ତାଙ୍କ ନବଜାତ ଶିଶୁକନ୍ୟାଙ୍କ ଫଟୋକୁ ନେଇ ଏବେ ସୋସିଆଲ ମିଡ଼ିଆରେ ପୁଣି ଚର୍ଚ୍ଚା ଜାରି ରହିଛି।

ଜାତିସଂଘରେ ଅବସ୍ଥାପିତ ଥିବା ୟୁକ୍ରେନର ରାଷ୍ଟ୍ରଦୂତ ସର୍ଗେଇ କିସଲିଟସିଆ କହିଛନ୍ତି ଯେ ଶିଶୁ କନ୍ୟାଙ୍କ ନାମ ଭେରୋନିକା ରଖାଯାଇଛି। ସର୍ଗେଇ ମାରିଆନାଙ୍କ ସହିତ ଭେରୋନିକାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଉଭୟ ମା’ ଏବଂ ଶିଶୁ ସୁସ୍ଥ ଥିବା ସର୍ଗେଇ ଜାତିସଂଘ ନିରାପତ୍ତା ପରିଷଦରେ କହିଛନ୍ତି।

ତେବେ ଏହି ଘଟଣାର ଫଟୋ ଓ ଭିଡ଼ିଓକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଅନ୍ତର୍ଜାତୀୟସ୍ତରରେ ଜାଣିଶୁଣି ରୁଷିଆ ବିରୋଧରେ ପ୍ରଚାର କରାଯାଉଥିବା ନେଇ ଜାତିସଂଘରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଭାସିଲି ନେବେନ୍ୟା କହିଥିଲେ।

Share