ପୃଥିବୀ ପାଇଁ ନୂଆ ବିପଦ: ଭାଙ୍ଗିଲା ବିରାଟ ହିମ ପାହାଡ଼

ଓ୍ବାଶିଂଟନ,୨୮।୨: ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଅଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର ଆକାର ୧୨୭୦ ବର୍ଗ କିଲୋମିଟର। ଯାହାକି ରାଜଧାନୀ ଦିଲ୍ଲୀର ଆକାର ସହିତ ପ୍ରାୟ ସମାନ। ଦିଲ୍ଲୀର ଆକାର ୧୨୯୨ ବର୍ଗ କିଲୋମିଟର। ହିମ ପାହାଡ଼ର ମୋଟେଇ ୧୫୦ ମିଟର ବୋଲି ବ୍ରିଟିଶ୍‌ ଅଣ୍ଟାର୍କଟିକା ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ସର୍ଭେ ସଂସ୍ଥା ପକ୍ଷରୁ ହିମପାହାଡ଼ର ଫଟୋ ଏବଂ ୪୭ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ଜାରି ହୋଇଛି। ଏହା ବ୍ରୁଣ୍ଟ୍‌ ଆଇସ୍‌ ସେଲ୍ଫର ଅଂଶବିଶେଷ। ଏହା ଭାଙ୍ଗୁଥିବା ନେଇ ୨୦୨୦ ନଭେମ୍ବରରେ ସୂଚନା ମିଳିଥିଲା। ତେବେ ବର୍ତ୍ତମାନ ଏହା ମୂଳ ଖଣ୍ଡଠାରୁ ଅଲଗା ହୋଇଯାଇଛି। ହିମ ପାହାଡ଼ ଭାଙ୍ଗିବା ଘଟଣାକୁ ସାଧାରଣତଃ କାଲ୍‌ଭିଂ କୁହାଯାଇଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁ ମେରୁ ଅଞ୍ଚଳରେ ହିମ ପାହାଡ଼ ଭାଙ୍ଗିବା ଏବଂ ତରଳିବା ଘଟଣା ବଢ଼ି ଚାଳିଛି। ସମ୍ପ୍ରତି ଭାଙ୍ଗିଥିବା ହିମପାହାଡ଼ ତରଳିଲେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏପରି ହେଲେ ଉପକୂଳରେ ଥିବା ପୃଥିବୀର ବହୁ ଅଞ୍ଚଳ ପାଣିରେ ବୁଡ଼ିଯିବ ବୋଲି ପରିବେଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଏହାଯୋଗୁ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି ହେବ। ଏସମ୍ପର୍କରେ ଉପଗ୍ରହ ଦ୍ୱାରା ଉତ୍ତୋଳିତ ହୋଇଥିବା ଫଟୋରୁ ବିଶେଷ ସୂଚନା ମିଳିଥିବା ଓ୍ବାଲେସ୍‌ର ସ୍ବାନେସା ବିଶ୍ୱବିଦ୍ୟାଳୟର ପ୍ରଫେସର ଆଦ୍ରିଆନ୍‌ ଲ୍ୟୁକମ୍ୟାନ୍‌ କହିଛନ୍ତି। ସୂଚନାଯୋଗ୍ୟ, ମେରୁରେ ଥିବା ସମସ୍ତ ବରଫ ତରଳିଗଲେ ସମୁଦ୍ରର ଜଳସ୍ତର ୭୦ ମିଟର ବଢ଼ିଯିବ। ଏଭଳି ହେଲେ ପୃଥବୀର ବହୁ ଦ୍ୱୀପ ତଥା ବଡ଼ ବଡ଼ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା କରାଯାଉଛି।

Share