ମାଡ଼ି ଆସୁଛି ନୂଆ ବିପଦ: ୪ କୋଟିରୁ ଅଧିକ ଲୋକ ହରାଇବେ ଚାକିରି

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରି ସ୍ଥଳେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଥିବା ପରିବେଶବିତ୍‌ ମାନେ ସୂଚନା ଦେଇଛନ୍ତି। ୮୦ ବର୍ଷରେ ପୃଥିବୀର ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ। ଫଳରେ ୨୧୦୦ ବେଳକୁ ବହୁ ଅଞ୍ଚଳରେ ତାପମାତ୍ରା ବଢିବା ଯୋଗୁ ଲୋକେ ରହିପାରିବେ ନାହିଁ। ପୃଥିବୀରେ କେତେକ ଅଞ୍ଚଳ ମାନବ ଶୂନ୍ୟ ହେବାର ଆଶଙ୍କା ରହିଛି। ୨୦୩୦ ସୁଦ୍ଧା ତାପମାତ୍ରା ବଢ଼ିବା ଯୋଗୁ ଦକ୍ଷିଣ ଏସିଆରେ ୪ କୋଟି ୩୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇବେ । ସେଥିମଧ୍ୟରେ ଭାରତର ୩ କୋଟି ୪୦ ଲକ୍ଷ ଲୋକ ଥିବେ ବୋଲି ଆକଳନ କରାଯାଇଛି। ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ନେପାଳ ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ଇରାନ ଏବଂ ଆଫଗାନିସ୍ତାନରେ ବେକାର ସଂଖ୍ୟା ଆପକ୍ଷାକୃତ କମ୍‌ ରହିବ। ଏନେଇ ଓ୍ବାଲର୍‌ଡ ମୋଟ୍ରୋଲୋଜିକାଲ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଜାରି ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୨୦ ବର୍ଷରେ ଅଧିକ ଗରମ ଅନୁଭୁତ ହୋଇଥିବା ଡବ୍ଲ୍ୟୁଏମ୍‌ଓ ପକ୍ଷରୁ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ତଥ୍ୟ ଅନୁସାରେ ୧୯୦୧ ପରେ ୨୦୧୯ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ଭାରତରେ ଏଭଳି ୭ଟି ବର୍ଷରେ ଅତ୍ୟଧିକ ଗରମ ଅନୁଭୁତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଗତ ବର୍ଷ ଭାରତରେ ଲୁ ଯୋଗୁ ୩୭୩ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଶୀତ ଲହରି ୬୧ ଜଣଙ୍କର ଜୀବନ ନେଇଥିଲା। ୨୦୧୦ରୁ ୨୦୧୯ ମଧ୍ୟରେ ଲୁ ପ୍ରବାହ ଯୋଗୁ ୬ ହଜାର ୩୫୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୫୦ ସୁଦ୍ଧା ଭାରତ ୬୦ କୋଟି ଲୋକ ଜଳବାୟୁ ପରିବର୍ତ୍ତନ ଯୋଗୁ ସମସ୍ୟାରେ ପଡ଼ିବେ। ଏହି ସମୟରେ ପ୍ରତି୪୫ ଜଣରେ ଜଣେ ବ୍ୟକ୍ତି ଜଳବାୟୁ ପରିବର୍ତ୍ତନ ଯୋଗୁ ବାସସ୍ଥାନ ଛାଡ଼ିବେ ବୋଲି ବୋଲି ଏଥିରେ ପ୍ରକାଶ ପାଇଛି।

Share