ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ ମିଳିଛି। ଦକ୍ଷିଣ ଆମେରିକାର ବଲିଭିଆର ଘଞ୍ଚ ଓ ଆର୍ଦ୍ର ମେଘାଚ୍ଛନ୍ନ ଜଙ୍ଗଲ (ୟୁଙ୍ଗାସ ଫରେଷ୍ଟ)ରେ ଗବେଷକମାନେ ଏହି ବିରଳ ବନ୍ୟ ବିରାଡ଼ିକୁ ଠାବକରିଛନ୍ତି। ବୈଜ୍ଞାନିକମାନେ ଏହାର ନାମ ‘ଲିଓପାର୍ଡସ ଟିଲକାୟୋ’ ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ‘ଟିଲକାୟୋ’ ନାମରେ ପରିଚିତ। ‘କରେଣ୍ଟ ବାୟୋଲୋଜି’ ପତ୍ରିକାରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।
ଜେନେଟିକ୍ ଗବେଷଣାରୁ ଜଣାପଡ଼ିଛି ଯେ ଏହି ବିରାଡ଼ି ପ୍ରଜାତିର ଇତିହାସ ପ୍ରାୟ ୧୪ ଲକ୍ଷ ବର୍ଷ ପୁରୁଣା। ଏମାନେ ପ୍ରାୟ ୧.୪ ମିଲିୟନ ବର୍ଷ ପୂର୍ବେ ଅନ୍ୟ ‘ଟାଇଗର କ୍ୟାଟ୍ସ’ (ବାଘ ଭଳି ଦେଖାଯାଉଥିବା ବନ୍ୟ ବିରାଡ଼ି) ପ୍ରଜାତିଠାରୁ ଅଲଗା ହୋଇ ନିଜର ଏକ ସ୍ବତନ୍ତ୍ର ବଂଶାବଳୀ ସୃଷ୍ଟି କରିଥିଲେ।
ଏହି ବନ୍ୟ ବିରାଡ଼ି ଆକାରରେ ସାଧାରଣ ଘରୋଇ ବିରାଡ଼ିଠାରୁ ମଧ୍ୟ ସାନ। ଏହାର ଲମ୍ବ ମାତ୍ର ୪୬ ସେଣ୍ଟିମିଟର ଏବଂ ଓଜନ ପ୍ରାୟ ୧.୪ କିଲୋଗ୍ରାମ। ଏହାର ଲୋମ ହାଲୁକା ବାଦାମୀ ରଙ୍ଗର ଏବଂ ଶରୀର ସାରା ଅଦ୍ଭୁତ ଆକାରର କଳା ଚିହ୍ନ ରହିଛି। ପ୍ରାଥମିକ ପ୍ରମାଣରୁ ଜଣାପଡ଼ିଛି, ଏମାନେ ମୁଖ୍ୟତଃ ରାତିରେ ସକ୍ରିୟ ରହନ୍ତି ଏବଂ ଛୋଟ ମୂଷା ଜାତୀୟ ଜୀବଙ୍କୁ ଶିକାର କରନ୍ତି।
ନ୍ୟାଶନାଲ ଜିଓଗ୍ରାଫିକ୍ର ଏକ୍ସପ୍ଲୋରର ପାଓଲା ନୋଗାଲେସ-ଆସ୍କାରୁଞ୍ଜ ଏବଂ ଜୀବବିଜ୍ଞାନୀ ଜୋନାସ ଲେସକ୍ରୋଆର୍ଟଙ୍କ ସୂଚନା ଅନୁସାରେ, ଗବେଷକମାନେ ଦକ୍ଷିଣ ଆମେରିକାର ପ୍ରାୟ ୩୮ଟି ବିରାଡ଼ିର ଡିଏନ୍ଏ ଏବଂ ମ୍ୟୁଜିୟମ ନମୁନା ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ ଯାହାକୁ ଗୋଟିଏ ଗ୍ରୁପ୍ କୁହାଯାଉଥିଲା, ପ୍ରକୃତରେ ସେଥିରେ ୫ଟି ଭିନ୍ନ ଭିନ୍ନ ପ୍ରଜାତି ରହିଛନ୍ତି। ଏହି ଗବେଷଣା ବେଳେ ପେରୁରୁ ମଧ୍ୟ ଆଉ ଏକ ନୂଆ ଉପ-ପ୍ରଜାତି ‘ଲିଓପାର୍ଡସ୍ ଟିଗ୍ରିନସ ଆଣ୍ଟିସୁୟୋ’ ଚିହ୍ନଟ ହୋଇଛି।
‘ଲିଓପାର୍ଡସ୍ ଟିଲକାୟୋ’ ଚିହ୍ନଟ ହେବା ଖୁସିର ଖବର ହୋଇଥିଲେ ସୁଦ୍ଧା ଏହା ଏକ ବଡ଼ ଚେତାବନୀ ମଧ୍ୟ ଆଣିଛି। ଜଙ୍ଗଲ କ୍ଷୟ, ଜଙ୍ଗଲ ନିଆଁ, ବେଆଇନ ଖଣି ଖନନ ଏବଂ କୃଷି କାର୍ଯ୍ୟ ଯୋଗୁ ଏହି ବିରଳ ବିରାଡ଼ିର ବାସସ୍ଥଳୀ ଏବେ ସଙ୍କଟରେ। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ଏହାକୁ ‘ବିଲୁପ୍ତପ୍ରାୟ’ ଶ୍ରେଣୀରେ ସାମିଲ କରିବାକୁ ବିଚାର କରୁଛି। ମୁଖ୍ୟ ଗବେଷକ ଏଡୁଆର୍ଡୋ ଆଇଜିରିକ ଚେତାବନୀ ଦେଇ କହିଛନ୍ତି, ବିଶ୍ୱରେ ଏମିତି ଅନେକ ଅଜଣା ଜୀବ ଅଛନ୍ତି, ଯାହାଙ୍କୁ ଆମେ ଆବିଷ୍କାର କରିବା ପୂର୍ବରୁ ହିଁ ସେମାନେ ନିଜ ବାସସ୍ଥଳୀ ହରାଇ ପୃଥିବୀରୁ ସବୁଦିନ ପାଇଁ ବିଲୁପ୍ତ ହୋଇଯାଉଛନ୍ତି।