ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟର ନୂତନ କୋଠା ପ୍ରାୟ ୧୦୦ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ଲାଲସିଂ ନର୍ସରୀ ପରିସରରେ ଜମି ଚୟନ କରାଯାଇଛି। ନୂତନ କୋଠା ନିର୍ମାଣରେ ୪ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ଟଙ୍କାର ଅନୁଦାନ ଆସିଛି। ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ସୂଚନା ଯୋଗ୍ୟ, ବ୍ରିଟିଶ ଶାସନ ସମୟରେ ପ୍ରାୟ ୧୦୦ ବର୍ଷ ପୂର୍ବେ ଭେଜିପୁଟଠାରେ ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟର କୋଠା ନିର୍ମାଣ କରାଯାଇଥିଲା। ଦୁଇମହଲା ବିଶିଷ୍ଟ ଏହି ପୁରୁଣା କୋଠାର ଛାତ କାଠରେ ନିର୍ମିତ ହୋଇଛି।
ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ କୋଠାଟି ଏବେ ବି ସୁରକ୍ଷିତ ଅବସ୍ଥାରେ ରହିଛି। ତେବେ କର୍ମଚାରୀଙ୍କ ସଂଖ୍ୟା ଓ ସରକାରୀ ଗାଡ଼ି ବୃଦ୍ଧି ପାଇବା ସହ କୋଠାର ପଛପାର୍ଶ୍ୱର କେତେକ ସ୍ଥାନ ଭଗ୍ନ ଅବସ୍ଥାକୁ ଆସିଛି। ଏଥିସହ କାର୍ଯ୍ୟାଳୟର ଆବଶ୍ୟକତା ବଢ଼ିବାରୁ ନୂତନ କୋଠା ନିର୍ମାଣର ଆବଶ୍ୟକତା ରହିଛି। ନୂଆ କୋଠା ନିର୍ମାଣ ହେଲେ ବନ ବିଭାଗର କାର୍ଯ୍ୟ ପରିଚାଳନା ଅଧିକ ସୁବିଧାଜନକ ହୋଇପାରିବ।