ବେହେରାସାହି ପରେ ଏବେ ଚିନ୍ତା ବଢ଼ାଇଲା ଜାଲୁଆ ସାହି: ଆଜି ଚିହ୍ନଟ ହେଲେ…

କଟକ ଅଫିସ,୧୧।୮: କଟକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ସହରରେ ଆଉ ୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଉଛି। ସେଥିରୁ ୮୭୦ ଆକ୍ଟିଭ୍‌ କେସ୍‌ ରହିଥିବା କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ତେବେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ମାଲଗୋଦାମ ବେହେରା ସାହି ପରେ ଜାଲୁଆ ସାହି ଚିନ୍ତା ବଢ଼ାଉଥିବା ଦେଖିବାକୁ ମିଳିଛି। ସେଠାରେ ୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୩ଜଣ ପୁରୁଷ ଥିବା ବେଳେ ୨୦ଜଣ ମହିଳା ଅଛନ୍ତି। ଏହାଛଡ଼ା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୨ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଅଛନ୍ତି। ସେହିଭଳି ୫ ଲୋକାଲ କେସ୍‌ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।