ମୋ ବିଧାୟକ ଅମଳରେ ଏତେ ଲମ୍ବା ଉତ୍ତର କେବେ ଦେଖିନି: ତାରା

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ସୋମବାର ବିଧାନସଭା ପ୍ରଶ୍ନକାଳରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା। ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ପ୍ରଶ୍ନକର୍ତ୍ତାଙ୍କ ସମେତ ବିଧାନସଭାର ଅନ୍ୟ ସଦସ୍ୟମାନେ ବୋର ହୋଇ ଯାଇଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଦ୍ୱିତୀୟ ପ୍ରଶ୍ନ ନଂ. ୨୧୨ରେ ପଚାରିଥିଲେ, ରାଜ୍ୟ ସରକାର ଋଣ ଭାରରେ ବୁଡ଼ି ରହିଛନ୍ତି କି। ୨୦୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣ ଭାର କେତେ ଥିଲା। ବର୍ତ୍ତମାନ ମୁଣ୍ଡପିଛା ଋଣ ଭାର କେତେ ରହିଛି। ଋଣ ଭାର ହ୍ରାସ କରିବାକୁ ସରକାର କି ପଦକ୍ଷେପ ନେଇଛନ୍ତି। ଋଣ ବାବଦରେ ସରକାର କାହାଠାରୁ କେତେ ଆଣିଛନ୍ତି। ବର୍ତ୍ତମାନ ମୂଳ ଓ ସୁଧ କେତେ ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାର ଜବାବରେ ୫ ପୃଷ୍ଠାର ଲିଖିତ ପଢ଼ି ଶୁଣାଇଲେ। ଉତ୍ତର ଶେଷ କରିବାକୁ ମନ୍ତ୍ରୀଙ୍କୁ ପ୍ରାୟ ୧୦ରୁ ୧୧ ମିନିଟ ସମୟ ଲାଗିଥିଲା। ଲମ୍ବା ଉତ୍ତର ଶୁଣି ବିଧାୟକମାନେ ବୋର୍‌ ହୋଇଗଲେ। ଭାଜପା ବିଧାୟକମାନେ ମନ୍ତ୍ରୀଙ୍କ ଲମ୍ବା ଉତ୍ତରକୁ ନେଇ ଆପତ୍ତି ଉଠାଇଲେ। ତଥାପି ମନ୍ତ୍ରୀ ନିଜର ଉତ୍ତର ପଢ଼ିବା ବନ୍ଦ କଲେ ନାହିଁ। ମନ୍ତ୍ରୀ ଉତ୍ତର ପଢ଼ି ଶେଷ କରିବା ପରେ ଦମ ନେଲେ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୂଳ ପ୍ରଶ୍ନକର୍ତ୍ତା ତାରାଙ୍କୁ ଅତିରିକ୍ତ ପ୍ରଶ୍ନ ପଚାରିବାକୁ କହିଲେ। ତାରା କହିଲେ, ମୁଁ ୪/୫ ଥର ବିଧାୟକ ହେଲିଣି। ଏତେ ଲମ୍ବା ଉତ୍ତର କେବେ ଦେଖିନି। ମୁଁ ୪ ଧାଡ଼ିଆ ପ୍ରଶ୍ନ ପଚାରିଥିଲି। ମନ୍ତ୍ରୀ ୫ ପେଜ୍‌ ଉତ୍ତର ଦେଇଛନ୍ତି। କେହି ପଢ଼ିପାରିବେନି କି ବୁଝିପାରିବେନି। ତାରାଙ୍କ କଥା ଶୁଣି କିଛି ସମୟ ପାଇଁ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।