ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମେ ଜାଣତରେ ହେଉ କି ଅଜାଣତରେ ଏମିତି କିଛି ଅଦରକାରୀ ଜିନିଷ ଘରେ ଗଦାଇ ରଖିଥାଉ; ଯାହାର କୁପ୍ରଭାବ ଘରର ସୁଖ, ଶାନ୍ତି ଓ ସମୃଦ୍ଧି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି…
* ଘରେ ଯଦି ପୁରୁଣା ଖବରକାଗଜକୁ ବହୁଦିନ ଧରି ଗଦେଇ ରଖାଯାଇଥାଏ, ତା’ହେଲେ ଏହାର ପ୍ରଭାବରେ ଘରେ ଅଶାନ୍ତିର ବାତାବରଣ ଉପୁଜିଥାଏ। ତା’ସହ ନକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ର କହେ।
* ପୁରୁଣା, ଖରାପ ହୋଇଯାଇଥିବା ତଥା ଅନୁପଯୋଗୀ ଇଲେକ୍ଟ୍ରୋନିକ୍ ଜିନିଷ ଯେମିତି କି ମୋବାଇଲ୍ ଫୋନ୍, ଚାର୍ଜର, କେବଲ୍, ବଲ୍ବ ଇତ୍ୟାଦିକୁ ବି ଘରେ ରଖିବା ଠିକ୍ ନୁହେଁ। ଏହା ନକାରାତ୍ମକ ଶକ୍ତିକୁ ଆକର୍ଷିତ କରି ଘରେ ସମସ୍ୟା ସୃଷ୍ଟି କରିଥାଏ; ଯାହାର ପ୍ରଭାବରେ ପରିବାର ଲୋକେ ମାନସିକ ଦୁଶ୍ଚିନ୍ତାରେ କାଳାତିପାତ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ।
* ପୁରୁଣା ଅଦରକାରୀ ହୋଇଯାଇଥିବା ଜୋତା, ଚପଲକୁ ମଧ୍ୟ ବହୁଦିନ ଧରି ଘରେ ଗଦାଇ ରଖିଲେ, ଏହା ଉଭୟ ସ୍ବାସ୍ଥ୍ୟ ଓ ସମୃଦ୍ଧି ଉପରେ କୁପ୍ରଭାବ ପକାଇଥାଏ।
* ଘରେ ଯଦି ପୁରୁଣା, ଜଙ୍କ୍ ଲଗା ତାଲା ଅଛି, ତା’ହେଲେ ତାକୁ ଶୀଘ୍ର ଘରୁ ବାହାର କରିଦେବା ଆବଶ୍ୟକ। କାରଣ ଏହା ମଧ୍ୟ ଘରର ସମୃଦ୍ଧିରେ ବାଧା ସୃଷ୍ଟି କରିଥାଏ।
* ଖରାପ ହୋଇଯାଇଥିବା ଘଣ୍ଟା, ପୁରୁଣା ଝାଡୁ, ପୁରୁଣା ଅଦରକାରୀ ପୋଷାକପତ୍ରକୁ ବି ଘରେ ଅଯଥା ଗଦେଇ ରଖିଲେ ଘରର ସୁଖ, ସମୃଦ୍ଧି ନଷ୍ଟ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


