Categories: ଜାତୀୟ

‘କଦାପି ରାଷ୍ଟ୍ରପତି ହେବାର ଆକାଂକ୍ଷା ନ ଥିଲା’

ନୂଆଦିଲ୍ଲୀ,୮।୮: ଆସନ୍ତା ୧୦ ତାରିଖରେ କାର୍ଯ୍ୟକାଳ ଶେଷ ହେଉଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁଙ୍କୁ ସୋମବାର ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଶେଷ ଦିନରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ଭେଙ୍କାୟାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ବିଦାୟୀ ରାଜ୍ୟ ସଭା ଅଧ୍ୟକ୍ଷ କିପରି ସମସ୍ତଙ୍କୁ ଉତ୍ସାହିତ କରୁଥିଲେ ଏବଂ ନିଜସ୍ବ ଭାଷାରେ କହିବା ପାଇଁ ଅନୁମତି ଦେଉଥିଲେ ତାହା ସଦସ୍ୟମାନେ ମନେ ପକାଇଥିଲେ। ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ନାଇଡୁଙ୍କ କାର୍ଯ୍ୟର ପ୍ରଶଂସା କରିଥିବାବେଳେ କେତେଜଣ ବିରୋଧୀ ସଦସ୍ୟ ତାଙ୍କୁ ଆତ୍ମଜୀବନୀ ଲେଖିବାକୁ ପରାମର୍ଶ ଦେଇଥିଲେ। ଭେଙ୍କାୟାଙ୍କ ସମୟରେ ଉଚ୍ଚ ସଦନର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥିଲା ଏବଂ ସେ ଆଲୋଚନାରେ ଭାଗ ନେବା ଲାଗି ସମସ୍ତଙ୍କୁ ଉତ୍ସାହିତ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ତାଙ୍କ ଉତ୍ତରାଧିକାରୀ ଏଭଳି ଧାରା ବଜାୟ ରଖିବେ ବୋଲି ଆଶାବ୍ୟକ୍ତ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ ଭେଙ୍କାୟା କହିଥିଲେ, ତାଙ୍କର କଦାପି ରାଷ୍ଟ୍ରପତି ହେବାର ଆକାଂକ୍ଷା ନ ଥିଲା। ସେଥିପାଇଁ ସେ ଅସନ୍ତୁଷ୍ଟ ହେବେ ନାହିଁ। ଜନସାଧାରଣଙ୍କ ସହ ସମ୍ପର୍କ ଜାରି ରଖିବେ ବୋଲି ବିଦାୟୀ ଉପରାଷ୍ଟ୍ରପତି ଭେଙ୍କାୟା କହିଛନ୍ତି।

Share