Categories: ଖେଳ

ନକ୍‌ ଆଉଟରେ ନେଦରଲାଣ୍ଡ୍ସ, ସେନେଗାଲ

ଦୋହା, ୩୦।୧୧: ନେଦରଲାଣ୍ଡ୍ସ ଓ ସେନେଗାଲ ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ‘ଏ’ରେ ମଙ୍ଗଳବାର ଅନୁଷ୍ଠିତ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଆୟୋଜକ କାତାରକୁ ଏବଂ ସେନେଗାଲ ୨-୧ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି। ସେନେଗାଲ ଶେଷଥରପାଇଁ ୨୦୦୨ରେ କ୍ୱାର୍ଟର ଫାଇନାଲ ଖେଳିଥିଲା। ଅର୍ଥାତ୍‌ ଦୀର୍ଘ ୨୦ ବର୍ଷପରେ ଏହିଦଳ ରାଉଣ୍ଡ ଅଫ୍‌ ୧୬ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଅଲ୍‌ ବାୟତ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ କାତାର ବିପକ୍ଷରେ ନେଦରଲାଣ୍ଡ୍ସର କୋଡି ଗାକ୍‌ପୋ ୨୬ ଓ ଫ୍ରେଙ୍କି ଡି ଜଙ୍ଗ ୪୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବଲ୍‌ ପୋଜେଶନଠାରୁ ଆରମ୍ଭ କରି ଶଟ୍‌, ଟାର୍ଗେଟ ଶଟ୍‌, ପାସ୍‌, କର୍ନର୍ସ ଆଦି ସବୁଥିରେ ନେଦରଲାଣ୍ଡ୍ସ ଆଗରେ ରହିଥିଲା। ଅନ୍ୟପକ୍ଷରେ ଆୟୋଜକ କାତାରର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରୁ ଶେଷ ହୋଇଛି। ଦଳ ଗୋଟିଏ ହେଲେ ମ୍ୟାଚ ଜିତିବାରେ ସକ୍ଷମ ହୋଇନାହିଁ। କାତାର ଗୋଟିଏ ଗୋଲ ଦେଇଥିବାବେଳେ ୭ଟି ଗୋଲ ବରଣ କରିଛି। ନେଦରଲାଣ୍ଡ୍ସ ପୂର୍ବରୁ ୧୯୭୪, ୧୯୭୮, ୨୦୧୦ରେ ରନରଅପ୍‌ ହୋଇଥିବାବେଳେ ୨୦୧୪ରେ ତୃତୀୟ ଏବଂ ୧୯୯୮ରେ ଚତୁର୍ଥସ୍ଥାନ ଅଧିକାର କରିଥିଲା। ୨୦୧୮ ଗତ ସଂସ୍କରଣରେ କିନ୍ତୁ ଦଳ ଯୋଗ୍ୟତା ହାସଲ କରିପାରି ନ ଥିଲା।
ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ସେନେଗାଲ-ଇକ୍ୱେଡର ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଶେଷରେ ସେନେଗାଲ ବାଜି ମାରିଥିଲା। ଇକ୍ୱେଡର ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ସେନେଗାଲକୁ ପେନାଲ୍ଟି ମିଳିଥିଲା। ଇସମାଇଲା ସର୍‌ ୪୪ତମ ମିନିଟରେ ଏହାକୁ ଗୋଲରେ ପରିଣତ କରି ଦଳକୁ ଅଗ୍ରଣୀ ଦେଇଥିଲେ। ୬୭ତମ ମିନିଟରେ ଇକ୍ୱେଡରର ମୋଇସେସ କାଇସେଡେଶ ଗୋଲଟି ପରିଶୋଧ କରି ଦେଇଥିବାବେଳେ ୭୦ତମ ମିନିଟରେ ସେନେଗାଲର କାଲିଡୋ କୌଲିବାଲି ଦେଇଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ଅନ୍ୟପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଇକ୍ୱେଡରର ଅଭିଯାନ ଏଥର ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ଶେଷ ହୋଇ ଯାଇଥିଲା। ସେନେଗାଲ ଶେଷଥରପାଇଁ ୨୦୦୨ରେ କ୍ୱାର୍ଟର ଫାଇନାଲ ଖେଳିଥିଲା। ଚଳିତ ବିଶ୍ୱକପରେ ପ୍ରଥମ ଆଫ୍ରିକୀୟ ଦେଶଭାବରେ ସେନେଗାଲ ୨ଟି ମ୍ୟାଚ ଜିତି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି। ପୂର୍ବ ମ୍ୟାଚରେ ଏହି ଦଳ କାତାରକୁ ୩-୧ ଗୋଲରେ ପରାସ୍ତ କରିଥିଲା। ଫଳରେ ଦୀର୍ଘ ୨୦ ବର୍ଷପରେ ସେନେଗାଲ ରାଉଣ୍ଡ ଅଫ୍‌ ୧୬ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

Share