ନେତାନ୍ୟାହୁଙ୍କ ଦଳକୁ ମିଳିଲାନି ବହୁମତ, କଲେ ବଡ଼ ଅଭିଯୋଗ

ଜେରୁଜେଲମ,୨୯ା୧୦: ଭୋଟ ଗଣତି ଚାଲିଥିବା ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ଅଭିଯୋଗ କରିଛନ୍ତି ଯେ ସାଧାରଣ ନିର୍ବାଚନକୁ ଆରବ ଦଳଗୁଡ଼ିକ ଚୋରି କରିଛନ୍ତି। ସେ ସେମାନଙ୍କ ବିରୋଧରେ ଭୋଟ ଜାଲିଆତି, ଲାଞ୍ଚ କାରବାର, ଧମକ ଏବଂ ହିଂସାକାଣ୍ଡର ଆରୋପ ଲଗାଇଛନ୍ତି। ନେତାନ୍ୟାହୁଙ୍କ ଲିକୁଡ୍‌ ଦଳ ଆରବ ମତଦାନ କେନ୍ଦ୍ରଗୁଡ଼ିକରେ ହୋଇଥିବା ଅନିୟମିତତାର ଆପରାଧିକ ତଦନ୍ତ ପାଇଁ ଦାବି କରିଛି। ଏହି ନିର୍ବାଚନ ପରେ ନେତାନ୍ୟାହୁଙ୍କ ମେଣ୍ଟ କିମ୍ବା ମୁଖ୍ୟ ବିରୋଧୀ ଦଳ କାହାରି ପାଖରେ ସଂସଦୀୟ ବହୁମତ ହାସଲ କରିବା ପାଇଁ ପର୍ଯ୍ୟାପ୍ତ ଆସନ ନାହିଁ। ଆରବ ନେତୃତ୍ୱାଧୀନ ଦଳଗୁଡ଼ିକ ରେକର୍ଡ ୧୯ଟି ଆସନ ଜିତିବେ ବୋଲି ପୂର୍ବାନୁମାନ କରାଯାଇଛି, ଯାହା ମେଣ୍ଟ ସରକାର ଗଠନ ଆଲୋଚନାରେ ସେମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇପାରେ।
ଭୋଟର ଜାଲିଆତି, ଧମକ ଏବଂ ଅନ୍ୟାନ୍ୟ ଅପରାଧ ଅଭିଯୋଗର ପୋଲିସ ତଦନ୍ତ ଏବଂ ଇସ୍ରାଏଲର ଆଭ୍ୟନ୍ତରୀଣ ସୁରକ୍ଷା ସଂସ୍ଥା ‘ଶିନ ବେଟ’ ଦ୍ୱାରା ଯାଞ୍ଚ ପାଇଁ ଲିକୁଡ ଦଳ ଦାବି କରିଛି।
କେନ୍ଦ୍ରୀୟ ନିର୍ବାଚନ କମିଟିର ପ୍ରାରମ୍ଭିକ ଫଳାଫଳ ଅନୁଯାୟୀ ୧୨୦ ସଦସ୍ୟ ବିଶିଷ୍ଟ କ୍ନେସେଟ (ଇସ୍ରାଏଲ ସଂସଦ)ରେ ନେତାନ୍ୟାହୁଙ୍କ ମେଣ୍ଟକୁ ୫୩ଟି ଆସନ ମିଳିଥିବା ବେଳେ ପୂର୍ବତନ ସେନା ମୁଖ୍ୟ ଗାଡି ଆଇସେନକୋଟଙ୍କ ନେତୃତ୍ୱରେ ବିରୋଧୀ ମେଣ୍ଟକୁ ୪୮ଟି ଆସନ ମିଳିଛି। ଆରବ ନେତୃତ୍ୱାଧୀନ ‘ଆର୍‌ଏଏଏମ୍‌’ ଏବଂ ‘ଜଏଣ୍ଟ ଲିଷ୍ଟ’ ଦଳ ମିଳିତ ଭାବେ ୧୯ଟି ଆସନ ଜିତିବେ ବୋଲି ପୂର୍ବାନୁମାନ କରାଯାଇଛି। ସରକାର ଗଠନର ବହୁମତ ପାଇଁ ଅତିକମ୍‌ରେ ୬୧ଟି ଆସନ ଆବଶ୍ୟକ।

 

Dharitri – Odisha’s No.1 Odia Daily

Share