ନୂଆଦିଲ୍ଲୀ,୩୦।୧୦: ଇସ୍ରାଏଲ ସଂସଦ ‘ନେସେଟ’ର ୧୨୦ଟି ଆସନର ର୍ନିବାଚନ ଫଳାଫଳ ଘୋଷଣା ହୋଇସାରିଛି। ବେଞ୍ଜାମିନ ନେତାନ୍ୟାହୁଙ୍କ ‘ଲିକୁଡ ପାର୍ଟି’ ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି, ଯେତେବେଳେ କି ତାଙ୍କର ସମଗ୍ର ମେଣ୍ଟକୁ ୫୩ଟି ଆସନ ମିଳିଛି। ବିରୋଧୀ ଦଳଗୁଡ଼ିକ ଖାତାକୁ ୪୮ଟି ଏବଂ ଆରବ ଦଳଗୁଡ଼ିକୁ ୧୯ଟି ଆସନ ମିଳିଛି। ସରକାର ଗଠନ ପାଇଁ ଆବଶ୍ୟକ ୬୧ଟି ଆସନର ଯାଦୁକରୀ ସଂଖ୍ୟା କୌଣସି ଦଳ କିମ୍ୱା ମେଣ୍ଟ ହାସଲ କରିପାରି ନାହାନ୍ତି। ଏହି ରାଜନୈତିକ ଅନିଶ୍ଚିତତା ମଧ୍ୟରେ ଦେଶର ସର୍ୱୋଚ୍ଚ ପଦବୀରେ ଥିବା ନେତାମାନଙ୍କ ଦରମା ଓ ସୁବିଧା ସୁଯୋଗର ବିବରଣୀ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି।
ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମାସିକ ଦରମାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଭାରତୀୟ ମୁଦ୍ରା ହିସାବରେ ତାଙ୍କର ମାସିକ ଦରମା ପ୍ରାୟ ୧୮ ଲକ୍ଷ ଟଙ୍କାରେ ପହଞ୍ଚିଛି। ତେବେ ଇସ୍ରାଏଲରେ ରାଷ୍ଟ୍ରପତିଙ୍କ ଦରମା ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ଆହୁରି ଅଧିକ। ଯଦି ଏହି ପରିମାଣକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ଆୟ ସହ ତୁଳନା କରାଯାଏ, ତେବେ ନେତାନ୍ୟାହୁଙ୍କ ଆୟ ତାଙ୍କଠାରୁ ବହୁ ଗୁଣ ଅଧିକ ବୋଲି ଜଣାପଡ଼େ।
ଇସ୍ରାଏଲରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ଆଞ୍ଚଳିକ ଯୁଦ୍ଧ ପରିସ୍ଥିତି କାରଣରୁ ଗତ ଦୁଇ ବର୍ଷ ଧରି ଶୀର୍ଷ ପ୍ରଶାସନିକ ପଦବୀ ତଥା ଅଧିକାରୀମାନଙ୍କ ଦରମା ବୃଦ୍ଧି ଉପରେ ରୋକ ଲଗାଯାଇଥିଲା। ସମ୍ପ୍ରତି ଏହି କଟକଣା ହଟାଇ ଏକ ବଡ଼ ଦରମା ସଂଶୋଧନ ଲାଗୁ କରାଯାଇଛି। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନଙ୍କ ମାସିକ ଆୟରେ ଏକକାଳୀନ ବୃଦ୍ଧି କରାଯାଇଛି।
ସଂଶୋଧନ ପୂର୍ୱରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମାସିକ ଦରମା ୫୫,୮୧୨ ଶେକେଲ (Shekel) ଥିଲା। ଏଥିରେ ପ୍ରାୟ ୬,୦୦୦ ଶେକେଲ ବୃଦ୍ଧି ପରେ ଏବେ ତାଙ୍କର ନୂତନ ଦରମା ମାସକୁ ପ୍ରାୟ ୬୧,୪୯୧ ଶେକେଲ ଧାର୍ଯ୍ୟ କରାଯାଇଛି। ଭାରତୀୟ ମୁଦ୍ରାରେ ଏହି ରାଶି ପ୍ରାୟ ୧୮ ଲକ୍ଷ ଟଙ୍କା। ଉଲ୍ଲେଖନୀୟ ଯେ, ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ସର୍ୱାଧିକ ଦରମା ପାଉଥିବା ବ୍ୟକ୍ତି ନୁହନ୍ତି; ସେଠାକାର ରାଷ୍ଟ୍ରପତି ୟିତଜାକ ବୋଜି ହର୍ଜୋଗଙ୍କ ଦରମା ୬୪,୫୬୪ ଶେକେଲ୍ରୁ ବୃଦ୍ଧି ପାଇ ୭୧,୦୮୨ ଶେକେଲ (ପ୍ରାୟ ୨୧ ଲକ୍ଷ ଟଙ୍କା) ହୋଇଛି।
ଦେଶର ପ୍ରଶାସନିକ ବ୍ୟବସ୍ଥାରେ କେବଳ ରାଷ୍ଟ୍ରମୁଖ୍ୟ ନୁହନ୍ତି, ବରଂ କ୍ୟାବିନେଟର ଅନ୍ୟ ସଦସ୍ୟମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି। ଇସ୍ରାଏଲର ସରକାରୀ ମନ୍ତ୍ରୀମାନଙ୍କ ଦରମା ୪୯,୮୫୦ ଶେକେଲ୍ରୁ ବୃଦ୍ଧି କରାଯାଇ ୫୪,୯୫୭ ଶେକେଲ ଅର୍ଥାତ୍ ମାସକୁ ପ୍ରାୟ ୧୬ ଲକ୍ଷ ଟଙ୍କା କରାଯାଇଛି। ଏହା ସହିତ ଉପମନ୍ତ୍ରୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି ପାଇ ୪୮,୦୦୦ ଶେକେଲ୍ରେ ପହଞ୍ଚିଛି। ସାଂସଦମାନଙ୍କର ଅଟକି ରହିଥିବା ଭତ୍ତା ମଧ୍ୟ ସମ୍ପ୍ରତି ପ୍ରଦାନ କରାଯାଇଛି।
ଭାରତରେ ପ୍ରଧାନମନ୍ତ୍ରୀଙ୍କ ଦରମା ସଂସଦୀୟ ନିୟମ ଅନୁଯାୟୀ ସ୍ଥିର କରାଯାଏ, ଯାହା ମୂଳତଃ ଜଣେ ସଂସଦ ସଦସ୍ୟ (MP) ପାଉଥିବା ଦରମା ଏବଂ ବିଭିନ୍ନ ଭତ୍ତାର ମୋଟ ଯୋଗଫଳ। ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରତି ମାସରେ ପ୍ରାୟ ୨,୮୦,୦୦୦ ଟଙ୍କା ମୋଟ ଦରମା ମିଳିଥାଏ। ଏହି ହିସାବରେ ତାଙ୍କର ବାର୍ଷିକ ଆୟ ପ୍ରାୟ ୩୩.୬ ଲକ୍ଷ ଟଙ୍କା। ଏହି ମୋଟ ରାଶି ମଧ୍ୟରେ ସାଂସଦ ଭାବେ ମିଳୁଥିବା ମୂଳ ଦରମା (basic pay), ର୍ନିବାଚନ ମଣ୍ଡଳୀ ଭତ୍ତା, ଦୈନିକ ଭତ୍ତା ଏବଂ ଆତିଥେୟତା ଭତ୍ତା ଭଳି ଉପାଦାନ ଅନ୍ତର୍ଭୁକ୍ତ।
ଦରମା ବ୍ୟତୀତ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅନେକ ସାମ୍ୱିଧାନିକ ତଥା ସରକାରୀ ସୁବିଧା ଯୋଗାଇ ଦିଆଯାଏ। ଏଥିରେ ନୂଆଦିଲ୍ଲୀରେ ସରକାରୀ ବାସଭବନ (୭, ଲୋକ କଲ୍ୟାଣ ମାର୍ଗ), ସର୍ୱୋଚ୍ଚ ସ୍ତରର ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ (SPG) ସୁରକ୍ଷା ବଳୟ, ଏବଂ ଦେଶ-ବିଦେଶ ଗସ୍ତ ପାଇଁ ସୱତନ୍ତ୍ର ବିମାନ ’ଏୟାର ଇଣ୍ଡିଆ ୱାନ’ ସାମିଲ ରହିଛି। ଏହା ବ୍ୟତୀତ ଦୈନନ୍ଦିନ କାର୍ଯ୍ୟ ପାଇଁ ବୁଲେଟ-ପ୍ରୁଫ ବା ସୁରକ୍ଷିତ ଗାଡ଼ି, ମାଗଣା ଚିକିତ୍ସା ସେବା ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ସମସ୍ତ କର୍ମଚାରୀଙ୍କ ସହାୟତା ମିଳିଥାଏ।