ନୂଆ ସରକାର ଗଢ଼ିବାରେ ନେତାନ୍ୟାହୁ ବିଫଳ

ଜେରୁଜେଲମ୍‌, ୬।୫(ପି.ଟି.): ଦୀର୍ଘଦିନ ଧରି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଥିବା ବେଞ୍ଜାମିନ ନେତାନ୍ୟାହୁ ଧାର୍ଯ୍ୟ ସମୟସୀମା ମଧ୍ୟରାତ୍ର ସୁଦ୍ଧା ନୂଆ ସରକାର ଗଢ଼ିବାରେ ବିଫଳ ହୋଇଛନ୍ତି। ଫଳରେ ତାଙ୍କ ବିରୋଧୀମାନଙ୍କୁ ସରକାର ଗଢ଼ିବା ନେଇ ଏକ ସୁଯୋଗ ମିଳିଯାଇଛି। ୨୦୦୯ରୁ କ୍ଷମତାରେ ଥିବା ୭୧ ବର୍ଷୀୟ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ବିଚାରର ସମ୍ମୁଖୀନ ହୋଇଛନ୍ତି। ଗତ ଦୁଇବର୍ଷରେ ସେଠାରେ ୪ ଥର ନିର୍ବାଚନ ହେଲାଣି କିନ୍ତୁ ଫଳାଫଳ ନିର୍ଣ୍ଣାୟକ ହୋଇପାରୁ ନାହିଁ। ଚତୁର୍ଥ ନିର୍ବାଚନରେ କୌଣସି ଦଳ ପକ୍ଷରେ ସ୍ପଷ୍ଟ ମତ ନ ମିଳିବାରୁ ଏକାଠି ସରକାର ଗଢ଼ିବା ପାଇଁ ରାଷ୍ଟ୍ରପତି ରୁଭେନ୍‌ ରିଭ୍‌ଲିନ୍‌ ଏପ୍ରିଲ ୬ରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଦାୟିତ୍ୱ ଦେଇଥିଲେ। ଏହି ସମୟସୀମା ମଙ୍ଗଳବାର ମଧ୍ୟରାତ୍ରରେ ଶେଷ ହୋଇଯାଇଛି। ଦୀର୍ଘଦିନ ହେଲା ଦେଶରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ମେଣ୍ଟ ସରକାର ଲାଗି ଆଲୋଚନା ଆଗେଇ ପାରିନାହିଁ। ନେତାନ୍ୟାହୁଙ୍କ ଲିକୁଡ୍‌ ପାର୍ଟି ୧୨୦ ଆସନ ବିଶିଷ୍ଟ ପାର୍ଲାମେଣ୍ଟରେ ଏକକ ସଂଖ୍ୟାଗରିଷ୍ଠ ହୋଇଥିଲେ ହେଁ, ସରକାର ଗଠନ ଲାଗି ଆବଶ୍ୟକ ୬୧ ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିପାରି ନାହିଁ। ଗତ ମାର୍ଚ୍ଚରେ ହୋଇଥିବା ସାଧାରଣ ନିର୍ବାଚନରେ ଲିକୁଡ୍‌ ପାର୍ଟିକୁ ୩୦ ଆସନ ମିଳିଥିଲା। ନେତାନ୍ୟାହୁ ବିଫଳ ହେବା ପରେ ସରକାର ଗଠନ ନେଇ ରାଷ୍ଟ୍ରପତି ଅନ୍ୟ ଦଳର ନେତାମାନଙ୍କ ସହ ଯୋଗାଯୋଗ ଚଳାଇଛନ୍ତି।

Share