ଇସ୍ରାଏଲ୍‌ରେ ନୂଆ ସରକାର ଗଢ଼ିଲେ ନେତାନ୍ୟାହୁ

ଜେରୁଜେଲମ୍‌,୨୩ା୧୨:ଇସ୍ରାଏଲ୍‌ର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନୂଆ ସରକାର ଗଢ଼ିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସେ ବୁଧବାର ରାଷ୍ଟ୍ରପତି ଆଇଜାକ୍‌ ହେର୍‌ଜୋଗ୍‌ଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିଥିଲେ। ଗତ ନଭେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ଦକ୍ଷିଣପନ୍ଥୀ ରକ୍ଷଣଶୀଳ ଲିକୁଡ୍‌ ପାର୍ଟି ନେତା ନେତାନ୍ୟାହୁ ସଂଖ୍ୟାଗରିଷ୍ଠ ଆସନରେ ବିଜୟୀ ହୋଇଥିଲେ। ଧର୍ମୀୟ ଜିଓନିଜମ୍‌ ପାର୍ଟି ନେତା ଇତ୍‌ମାର ବେନ୍‌-ଗ୍ବିର୍‌ଙ୍କୁ ଜନସୁରକ୍ଷା ମନ୍ତ୍ରୀ କରାଯାଇଛି। ଇସ୍ରାଏଲ୍‌ ପୋଲିସ ତାଙ୍କ ନିୟନ୍ତ୍ରଣରେ ରହିବ। ନେତାନ୍ୟାହୁ ୧୯୯୬ରୁ ୧୯୯୯ ଏବଂ ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଥିଲେ। ସରକାର ଗଢ଼ିବା ଲାଗି ଧାର୍ଯ୍ୟ ସମୟସୀମା ଶେଷ ହେବା ପୂର୍ବରୁ ସେ ରାଷ୍ଟ୍ରପତିଙ୍କୁ ନୂଆ ମନ୍ତ୍ରିମଣ୍ଡଳର ତାଲିକା ପ୍ରଦାନ କରିଛନ୍ତି। ଇସ୍ରାଏଲ୍‌ର ୭୪ ବର୍ଷର ଇତିହାସରେ ନେତାନ୍ୟାହୁ ସରକାର ସବୁଠୁ ଦକ୍ଷିଣପନ୍ଥୀ ସରକାର ହେବା ଆଶା କରାଯାଉଛି। କିଛି ସପ୍ତାହର ବୁଝାମଣା ପରେ ସହଯୋଗୀ ଦଳଗୁଡ଼ିକ ସହ ଲିକୁଡ୍‌ ପାର୍ଟି କ୍ଷମତା ବଦଳ ପାଇଁ ରାଜି ହୋଇଥିଲା। ତେବେ ଏନେଇ ଚୂଡ଼ାନ୍ତ ଡିଲ୍‌ର ଆବଶ୍ୟକତା ରହିଛି। ଆସନ୍ତା ସପ୍ତାହରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ନେତାନ୍ୟାହୁ କହିଛନ୍ତି।

Share