ସ୍ଥାପତ୍ୟ ଆଲୋକରେ ଝଲସୁଛି ନେତାଜୀ ସଂଗ୍ରହାଳୟ

କଟକ,୧୯ା୧(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତା ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯିବ। ଏଥିପାଇଁ ଚଳଚଳଞ୍ଚଳ ହୋଇଛି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ। ଚଳିତବର୍ଷ ପ୍ରଥମ ଥର ୬୪ ଲକ୍ଷ ଟଙ୍କା ବ୍ୟୟରେ ସଂଗ୍ରହାଳୟକୁ ସ୍ଥାପତ୍ୟ ଆଲୋକୀକରଣ(ଆର୍କିଟେକ୍‌ଚରାଲ ଇଲ୍ୟୁମିନେଶନ) ସଜ୍ଜିତ କରାଯାଇଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମକୁ ଏହାର ଦାୟିତ୍ୱ ଦିଆଯାଇଛି। ଏହି ଆଲୋକୀକରଣ ଗୁରୁବାରଠାରୁ ଚାଲୁ କରାଯାଇଥିବାବେଳେ ଏହା ନେତାଜୀ ଜୟନ୍ତୀ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଦର୍ଶନ କରାଯିବ। ଏଥିସହ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ, ଉତ୍କଳ ଦିବସରେ ସଂଗ୍ରହାଳୟକୁ ଏହି ଆଲୋକମାଳାରେ ସଜାଯିବ। ଏହାସହ ନେତାଜୀ ପଢୁଥିବା ତତ୍କାଳୀନ ପ୍ରୋଟେଣ୍ଡାଣ୍ଟ ୟୁରୋପିଆନ ସ୍କୁଲ ତଥା ଏବେକାର ଷ୍ଟିୱାର୍ଟ ସ୍କୁଲରେ ଥିବା ନେତାଜୀଙ୍କ ଦସ୍ତଖତ ଥିବା ନାମଲେଖା ରେଜିଷ୍ଟର ପ୍ରଥମକରି ନେତାଜୀ ସଂଗ୍ରହାଳୟର ୨ନଂ. ଗ୍ୟାଲେରିରେ ପ୍ରଦର୍ଶନ କରାଯିବ।
ଆସନ୍ତା ୨୩ ତାରିଖ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସଂଗ୍ରହାଳୟ ଖୋଲା ରହିବ। ଉକ୍ତ ଦିନ ପୂର୍ବାହ୍ନ ସାଢେ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହି ଅବସରରେ ଲଳିତକଳା ଏକାଡେମୀ ପକ୍ଷରୁ ଚିତ୍ରକଳା କଳା ଶିବିର ଅନୁଷ୍ଠିତ ହେବ। ଏଥିରେ ସହରର ୨୧ ଜଣ ଚିତ୍ରଶିଳ୍ପୀ ନେତାଜୀଙ୍କ ଜୀବନୀକୁ ନେେଇ ଚିତ୍ର ଆଙ୍କିବେ। ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏନେଇ ସଂଗ୍ରହାଳୟର ଭାରପ୍ରାପ୍ତ ଅଧିକାରୀ ଜଳେନ୍ଦ୍ର ପ୍ରସାଦ ରାୟ କହିଛନ୍ତି, ପ୍ରତିବର୍ଷ ନେତାଜୀ ଜୟନ୍ତୀରେ ସଂଗ୍ରହାଳୟରେ କିଛି ନୂଆ ଦେଖିବାକୁ ମିଳିଥାଏ। ତଦନୁଯାୟୀ ଚଳିତବର୍ଷ ପ୍ରଥମକରି ସ୍ଥାପତ୍ୟ ଆଲୋକୀକରଣ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ କରାଯାଇଥିବା ଏହି ଆଲୋକୀକରଣ ସଂଗ୍ରହାଳୟର ସୌନ୍ଦର୍ଯ୍ୟ ବୃଦ୍ଧି କରିବ। ଏଥିସହ ବିଦ୍ୟାଳୟରେ ନେତାଜୀ ଦସ୍ତଖତ କରିଥିବା ରେଜିଷ୍ଟରକୁ ଗ୍ୟାଲେରିରେ ପ୍ରଦର୍ଶିତ କରାଯିବ। ନେତାଜୀ ଜୟନ୍ତୀରେ ଲୋକମାନେ ନିଃଶୁଳ୍କରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ।