Categories: ଜାତୀୟ

ପିଲାଙ୍କୁ ଦେଉଛନ୍ତି କି ସେରେଲାକ? ସାମ୍ନାକୁ ଆସିଲା ଚାଞ୍ଜଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୧୮।୪: ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର ରଖୁଥିବା ଏକ ୱେବସାଇଟ ‘ପବ୍ଲିକ ଆଇ’ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେତେବେଳେ ନେସଲେ ବ୍ରିଟେନ ଏବଂ ଜର୍ମାନୀ ଭଳି ବିକଶିତ ଦେଶରେ ଏହି ବେବିଫୁଡ୍‌ ବ୍ରାଣ୍ଡ ବିକ୍ରୟ କରନ୍ତି, ସେତେବେଳେ ସେଗୁଡ଼ିକରେ ଚିନି ନ ଥାଏ। ନେସଲେ ସ୍ବିଜରଲ୍ୟାଣ୍ଡର ଏକ ପ୍ରସିଦ୍ଧ କମ୍ପାନୀ, ଯାହାର ଉତ୍ପାଦ ସମଗ୍ର ବିଶ୍ୱରେ ବିକ୍ରି ହୁଏ।
‘ପବ୍ଲିକ ଆଇ’ ରିପୋର୍ଟ କରିଛି ଯେ ନେସଲେ ଅନେକ ଦେଶରେ ଶିଶୁ କ୍ଷୀର ଏବଂ ସେରେଲାକ ଉତ୍ପାଦରେ ଚିନି ଏବଂ ମହୁ ବ୍ୟବହାର କରନ୍ତି। ଏହା କରିବା ହେଉଛି ମେଦବହୁଳତା ଏବଂ କ୍ରନିକ ରୋଗକୁ ରୋକିବା ପାଇଁ ଅନ୍ତର୍ଜାତୀୟ ନିର୍ଦ୍ଦେଶାବଳୀଗୁଡିକର ଉଲ୍ଲଂଘନ। ନେସଲେର ନିୟମ ଉଲ୍ଲଂଘନ ମାମଲା ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର ଦେଶରେ ଦେଖିବାକୁ ମିଳିଛି। ତେବେ ଏହା ଭାରତର ସମସ୍ତ ନିୟମ ପାଳନ କରୁଛି ବୋଲି କମ୍ପାନୀ କହିଛି।
ଅନୁସନ୍ଧାନରୁ ଜଣାପଡିଛି ଯେ, ଭାରତରେ ବିକ୍ରି ହେଉଥିବା ସମସ୍ତ ୧୫ ସେରେଲାକ ଶିଶୁ ଉତ୍ପାଦରେ ନିର୍ଦ୍ଦିଷ୍ଟ ପରିମାଣ ତଥା ହାରାହାରି ୩ ଗ୍ରାମ ଚିନି ରହିଥାଏ। ପିଲାମାନଙ୍କୁ ଏକ ସମୟରେ କେତେ ପରିମାଣର ସେରେଲାକ ଦିଆଯିବା ଉଚିତ ତାହା କମ୍ପାନୀ କହିଛି । ଆଫ୍ରିକାର ଇଥିଓପିଆ ଏବଂ ଏସିଆର ଥାଇଲ୍ୟାଣ୍ଡ ଭଳି ଦେଶରେ ୬ ଗ୍ରାମ ଚିନି ମିଳିଛି। ଏଠାରେ ଧ୍ୟାନ ଦେବା କଥା ହେଉଛି. ଯେତେବେଳେ ସମାନ ଉତ୍ପାଦ ଜର୍ମାନୀ ଏବଂ ବ୍ରିଟେନ ପରି ବିକଶିତ ଦେଶରେ ବିକ୍ରି ହୁଏ, ସେତେବେଳେ ସେଗୁଡ଼ିକରେ ଚିନି ନ ଥାଏ।
ନେସଲେର ଚତୁରତା ମଧ୍ୟ ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହା ପ୍ରାୟତଃ ଦ୍ରବ୍ୟର ପ୍ୟାକେଜିଂରେ ଏଥିରେ କେତେ ଚିନି ଅଛି ସେ ସମ୍ବନ୍ଧରେ ସୂଚନା ଦେଇ ନ ଥାଏ। ରିପୋର୍ଟରେ କୁହାଯାଇଛି ଯେ ନେସଲେ ଏହାର ଉତ୍ପାଦରେ ଥିବା ଭିଟାମିନ, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ବିଷୟରେ ସୂଚନା ପ୍ରଦାନ କରିଥାଏ, କିନ୍ତୁ ଯେତେବେଳେ ଚିନି ମିଶା ଯାଇଥାଏ, ସେତେବେଳେ ଏହା ଆଦୌ ସ୍ବଚ୍ଛ ନୁହେଁ। ନେସଲେ ୨୦୨୨ରେ ଭାରତରେ ୨୦,୦୦୦ କୋଟିରୁ ଅଧିକ ମୂଲ୍ୟର ସେରେଲାକ ଉତ୍ପାଦ ବିକ୍ରି କରିଛନ୍ତି।

Share