ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କରଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକାରଗ୍ରସ୍ତ ପୁତୁରା ଜଣକ ବଡ଼ବାପାଙ୍କୁ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଏପରିକି ହତ୍ୟା କରିବା ପରେ ପୁତୁରା ଜଣକ ମୃତଦେହ ନିକଟରେ ଜଗି ରହିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଅଭିଯୁକ୍ତ ପୁତୁରା ପପୁ ନାଏକ(୨୫)ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ବଡ଼ବାପା ପଟକ ନାଏକ(୪୮) ଖାଇପିଇ ଘରେ ଶୋଇଥିଲେ। ମାନସିକ ବିକାରଗ୍ରସ୍ତ ପୁତୁରା ଜଣକ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେଇ ଚାଲିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଟକଙ୍କର ମୃତ୍ୟୁ ଘଟିଛି । ତେବେ ଏଭଳି ଘଟଣା ତିନିଦିନ ପୂର୍ବରୁ କୁଶପଦା ଅଞ୍ଚଳରେ ଜଣେ ମାନସିକ ବିକାରଗସ୍ତ ରୋଗୀ ବାପାଙ୍କ ସମେତ ପଡ଼ୋଶୀକୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ଏଭଳି ଘଟଣା ଥାନା ଅଞ୍ଚଳରେ ବାରମ୍ବାର ଘଟୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।


