ମାମୁ ଉପରେ ଗରମ ତେଲ ପକାଇ ଭଣଜା ଗିରଫ

ପୁରୀ ଅଫିସ,୧୬।୨: ବଳିଆପଣ୍ଡା ଥାନା ଅନ୍ତର୍ଗତ ସିପସୁରୁବାଲି ଗ୍ରାମରେ ଗରମ ପାଣି ଓ ତେଲ ପକାଇ ମାମୁ ଏବଂ ତାଙ୍କ ସାଙ୍ଗକୁ ଜୀବନରୁ ମାରିବା ଅଭିଯୋଗରେ ଅଭିଯୁକ୍ତ ଭଣଜାଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ସେ ହେଲେ କୁମ୍ଭାରପଡା ଥାନା ଅନ୍ତର୍ଗତ ବଡପୋଖରୀ ଅଞ୍ଚଳର ଅଭୟ ଦାଶ (୪୨)। ପୋଲିସ ଅଭିଯୁକ୍ତଙ୍କଠାରୁ ଗୋଟିଏ ଆଲୁମିନିୟମ ଡିସ୍କ ଜବତ କରିଛି। ଏ ନେଇ ପୋଲିସ ନଂ ୧୯/୨୨ରେ ମାମଲା ରୁଜୁ କରିଛି। ପୋଲିସ ସୂଚନାନୁଯାୟୀ, ଅଭୟ ମଙ୍ଗଳବାର ତାଙ୍କ ମା’ଙ୍କ ସହ କୌଣସି କାରଣକୁ ନେଇ ଝଗଡା କରୁଥିଲେ। ଏହି ସମୟରେ ଅଭୟଙ୍କ ମାମୁ ଓ ତାଙ୍କର ଜଣେ ସାଙ୍ଗ ସେଠାରେ ପହଞ୍ଚି ଭଣଜାଙ୍କୁ ବୁଝାଶୁଝା କରି ମାମଲା ସମାଧାନ କରିଥିଲେ। ପରେ ଅଭୟ ସେମାନଙ୍କ ସହ ରାତ୍ରି ଭୋଜନ କରିଥିଲେ। ରାତିରେ ସମସ୍ତେ ଶୋଇଥିବା ବେଳେ ଅଭୟ ଉଠି ଗରମ ପାଣି ଓ ତେଲକୁ ମାମୁ ଓ ତାଙ୍କ ସାଙ୍ଗ ଉପରେ ପକାଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଉଭୟେ ଆହତ ହୋଇଥିଲେ। ଏ ନେଇ ଅଭୟଙ୍କ ମାମୁଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।