କାଠମାଣ୍ଡୁ,୧୦।୧୧: ଭାରତର ପଡ଼ୋଶୀ ଦେଶ ନେପାଳରେ ଏମିତି ଦୁଇଟି ଗାଁ ରହିଛି, ଯେଉଁଠି ବର୍ଷର ୬ ମାସ କେହି ରହନ୍ତି ନାହିଁ । ଶୀତ ଋତୁ ଆସିବା ମାତ୍ରେ ପୂରା ଗାଁ ଖାଲି ହୋଇଯାଏ। ପ୍ରବଳ ତୁଷାରପାତ ଓ ଅସହ୍ୟ ଥଣ୍ଡା ଯୋଗୁଁ ଲୋକେ ନିଜ ଘର ଛାଡ଼ି ତଳିଆ ଅଞ୍ଚଳକୁ ଚାଲିଯାଆନ୍ତି। ନେପାଳର ଉତ୍ତର-ପଶ୍ଚିମ ସୀମାନ୍ତରେ ଥିବା ଟିଙ୍କର ଓ ଛାଙ୍ଗରୁ ଗାଁରେ ପ୍ରତିବର୍ଷ ଏହି ଦୃଶ୍ୟ ଦେଖିବାକୁ ମିଳେ।
ଭାରତରେ ଯେପରି ଦୀପାବଳି ପାଳନ କରାଯାଏ, ନେପାଳରେ ସେହି ସମୟରେ ତିହାର ପର୍ବ ପାଳନ ହୁଏ। ଲୋକେ ରଙ୍ଗବେରଙ୍ଗର ଟିକା ଲଗାଇବା ସହ ଗେଣ୍ଡୁ ଓ ମଖମଲି ଫୁଲର ମାଳ ପିନ୍ଧି ଉତ୍ସବ ମନାନ୍ତି। କିନ୍ତୁ ଏହି ଦୁଇ ଗାଁର ଲୋକଙ୍କ ପାଇଁ ତିହାର ହେଉଛି ଘର ଛାଡ଼ିବା ପୂର୍ବରୁ ପ୍ରସ୍ତୁତିର ସମୟ। ଏକ ରିପୋର୍ଟ ଅନୁସାରେ, ଟିଙ୍କର ଓ ଛାଙ୍ଗରୁ ଗାଁରେ ଦୀର୍ଘ ଶୀତ ଋତୁରେ ପ୍ରବଳ ତୁଷାରପାତ ହୁଏ। ମାସ ମାସ ଧରି ଜମି ଉପରେ ବରଫ ଜମି ରହୁଥିବାରୁ ସେଠାରେ ରହିବା କଷ୍ଟକର ହୋଇପଡ଼େ। ତେଣୁ ଲୋକେ ନଭେମ୍ବର ମଧ୍ୟଭାଗ ସୁଦ୍ଧା ଘର ଛାଡ଼ି ଦାରଚୁଲା ଜିିଲା ମୁଖ୍ୟାଳୟ ଖଲଙ୍ଗା ଓ ଅନ୍ୟ ତଳିଆ ଅଞ୍ଚଳକୁ ଚାଲିଯାଆନ୍ତି।
ଟିଙ୍କର ଗାଁରେ ୭୫ଟି ଘର ଥିବାବେଳେ ଛାଙ୍ଗରୁରେ ୧୨୪ଟି ଘର ରହିଛି । ଉଭୟ ଗାଁର ମୋଟ ଜନସଂଖ୍ୟା ପ୍ରାୟ ୧,୨୦୦ । ଏହି ଦୁଇଟି ଗାଁ ନେପାଳର ଦାରଚୁଲା ଜିଲା ଅନ୍ତର୍ଗତ ବ୍ୟାସ ଗ୍ରାମୀଣ ନଗରପାଳିକାର ୱାର୍ଡ ନମ୍ବର ୧ରେ ରହିଛି। ନଭେମ୍ବର ମଧ୍ୟଭାଗ ସୁଦ୍ଧା ଗାଁ ଦୁଇଟି ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଏ।