Categories: ଜାତୀୟ

୨ ସୀମାନ୍ତ ପୋଷ୍ଟ ହଟାଇଲା ନେପାଳ

ପିଥୋରାଗଡ଼/ଡେରାଡୁନ,୭ା୭: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାର ଧରଚୁଲା ଅଞ୍ଚଳରେ ଭାରତର ସୀମାକୁ ଲାଗି ରହିଥିବା ନେପାଳର ୬ଟି ନୂଆ ସୀମା ଆଉଟପୋଷ୍ଟ ମଧ୍ୟରୁ ୨ଟିକୁ ଏହା ଉଠାଇନେଇଛି। ଏହି ସୀମାନ୍ତ ପୋଷ୍ଟରେ ନେପାଳ ସଶସ୍ତ୍ର ପ୍ରହରି (ଏନ୍‌ଏସ୍‌ପି) ଜଗିରହିଥିଲେ। ଭାରତ ବିରୋଧୀ ମନୋଭାବ ଯୋଗୁ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଶାସକ ଦଳ ମଧ୍ୟରେ ବିରୋଧର ସମ୍ମୁଖୀନ ହୋଇଥିବାବେଳେ ତାଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି। ତାଙ୍କର ରାଜନୈତିକ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ଲାଗି ଶାସକ ଦଳ ଏନ୍‌ସିପି ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିବାକୁ ଥିବାବେଳେ ଏହାକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନେପାଳ ଏହାର ରାଜନୈତିକ ମାନଚିତ୍ରରେ ପରିବର୍ତ୍ତନ କରି ଭାରତର ତିନୋଟି ଅଞ୍ଚଳକୁ ନିଜର ବୋଲି ଦର୍ଶାଇଥିଲା। ଭାରତ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା। ପିଥୋରାଗଡ଼ ଜିଲାରେ ଥିବା କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରିଥିଲା। ନେପାଳ ପାର୍ଲାମେଣ୍ଟ ମଧ୍ୟ ନୂଆ ମାନଚିତ୍ରକୁ ଅନୁମୋଦନ କରିଥିଲା। ଭାରତ ସହ ସୀମା ବିବାଦ ପରେ ମାସେ ତଳେ ନେପାଳ ୬ଟି ନୂଆ ଆଉଟପୋଷ୍ଟ ନିର୍ମାଣ କରିଥିଲା। ଏବେ ଦୁଇଟି ସୀମା ପୋଷ୍ଟକୁ କାଠମାଣ୍ଡୁ ହଟାଇନେଇଥିବା ଧରଚୁଲାର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଅନୀଲ କୁମାର ଶୁକ୍ଳା ସ୍ପଷ୍ଟ କରିଛନ୍ତି।

Share