Categories: ଜାତୀୟ

ନେପାଳ ବିମାନ ଦୁର୍ଘଟଣାର ମିଳିଲା ବ୍ଲାକବକ୍ସ, ୨୨ ମୃତଦେହ ଉଦ୍ଧାର

କାଠମାଣ୍ଡୁ, ୩୧ା୫: ନେପାଳରେ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ବିମାନ ତାରା ଏୟାର ଲାଇନ୍ସର ଟ୍ବିନ୍‌ ଅଟ୍ଟର ୯ ଏନ୍‌ଏଇଟିର ମଙ୍ଗଳବାର ବ୍ଲାକବକ୍ସ ମିଳିଛି। ଏପରି କି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନେପାଳୀ ସେନା ମଙ୍ଗଳବାର କାଠମାଣ୍ଡୁକୁ ୧୨ଟି ମୃତଦେହ ଆଣିବାକୁ ପ୍ରସ୍ତୁତି ଚଳାଇଛି।
ଖରାପ ପାଣିପାଗ ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟି ରବିବାର ସକାଳେ ୯ଟା ୫୫ରେ ୪ ଭାରତୀୟ, ୩ ଜାପାନିଜ୍‌, ୨ ଜର୍ମାନୀ ନାଗରିକଙ୍କ ସମେତ ୧୩ ନେପାଳୀଙ୍କୁ ନେଇ ପୋଖରାରୁ ଜୋମ୍‌ସୋମ୍‌କୁ ଯାଉଥିଲା। ଉଡ଼ାଣ ଭରିବାର ପ୍ରାୟ ୧୫ ମିନିଟ୍‌ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପାଇଲଟଙ୍କ ଫୋନ୍‌ ଟ୍ରାକିଂ ପରେ ବିମାନର ଲୋକେଶନ ମିଳିଥିଲା। ପ୍ରାୟ ୨୦ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା। ବିମାନରେ ନିଆଁ ଲାଗି ନ ଥିବା ଜଣାପଡ଼ିଛି। ପ୍ରାୟ ୧୪,୫୦୦ ଫୁଟ୍‌ ଉଚ୍ଚତାରେ ବିମାନଟି ମୁସ୍ତାଙ୍ଗ ଜିଲାରେ ଥାସଙ୍ଗ-୨ଠାରେ ଧକ୍କା ଖାଇ ଖସିପଡ଼ିଥିବା କୁହାଯାଉଛି।

 

Share