ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ ମୃତଦେହ ମିଳିବାରେ ଲାଗିଛି। ତଥାପି ୫୮୯ ବିଦେଶୀଙ୍କ ସମେତ ପ୍ରାୟ ୫,୦୦୦ ଲୋକ ଏବେ ବି ନିଖୋଜ ଥିବା ସୁଚନା ମିଳିଛି।

ନିଖୋଜଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ଧାରକାରୀ ଟିମ ଉଦ୍ୟମ ଜାରି ରଖିଛନ୍ତି। ୧୩,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇଛି। ଗତ ମାସ ୨୬ରେ ଗ୍ଲେସିୟର ଧସିବା ଯୋଗୁ ଅଚାନକ ପ୍ରବଳ ବେଗରେ ବନ୍ୟା ମାଡ଼ିଆସି ବହୁ ସହର ଓ ଗାଁରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ବହୁ ଘର, ଗାଡ଼ି, ରାସ୍ତାଘାଟ ଓ ବ୍ରିଜ୍‌ ଭାସିଯାଇଛି। ଚାଇନା ପାର୍ଶ୍ୱରେ ମଧ୍ୟ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି ଓ ୫୦୦ ଲୋକ ନିଖୋଜ ଅଛନ୍ତି।

ନେପାଳରେ ଉଦ୍ଧାର ହୋଇଥିବା ୧,୩୪୪ ମୃତଦେହ ମଧ୍ୟରୁ ୭୫୮ ସାବାଳକ ଓ ୮୫ ନାବାଳକ ରହିଛନ୍ତି। ୫୦୧ ମୃତଦେହର ଅଙ୍ଗପ୍ରତ୍ୟଙ୍ଗ ନ ଥିବା ଏକ ରିପୋର୍ଟରେ କୁହାଯାଇଛି।

Share