ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି । ସବୁଠାରୁ ଅଧିକ ପ୍ରଭାବିତ ନୁଆକୋଟ ଜିଲାରୁ ଆସିଥିବା ଏକ ଘଟଣା ଉଦ୍ଧାରକାରୀ ଦଳକୁ ମଧ୍ୟ ହତବାକ୍ କରିଦେଇଛି।

ନୁଆକୋଟର ବିଦୁର ନଗରପାଳିକା ଅନ୍ତର୍ଗତ ବେତ୍ରାବତୀ ଗାଁରେ ଭୋଟେକୋଶୀ ନଦୀର ବନ୍ୟାଜଳ ସହ ଆସିଥିବା ମାଟି ଓ ଆବର୍ଜନା ତଳେ ଏକ ତିନି ମହଲା କୋଠା ଚାପି ହୋଇଯାଇଥିଲା। ସର୍ଚ୍ଚ ଅପରେସନ୍ ସମୟରେ ଏହି ଘରରୁ ୨୩ଟି ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳର ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, ଘରର ଗୋଟିଏ କୋଠରୀରୁ ୨୧ଟି ମୃତଦେହ ମିଳିଥିବା ବେଳେ ଘର ବାହାରୁ ଆଉ ୨ଟି ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ସେମାନେ ତୀର୍ଥଯାତ୍ରୀ ହୋଇଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି।

ପୋଲିସ କହିବା ଅନୁସାରେ, ଭୋଟେକୋଶୀ ନଦୀରୁ ଆସିଥିବା ବନ୍ୟାଜଳ ତ୍ରିଶୂଳୀ ନଦୀରେ ପ୍ରବେଶ କରିବା ପରେ ଅଗଷ୍ଟ ୨୬ ତାରିଖରେ ଏହି ଘରଟି ବନ୍ୟାର ଶିକାର ହୋଇଥିଲା। ବନ୍ୟାଜଳ ବଢ଼ିବାରୁ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଘରର ଉପର ମହଲାକୁ ଯାଇଥିବା ଆଶଙ୍କା କରାଯାଉଛି। ନୁଆକୋଟ ଏସ୍‌ପି ବିପିନ ରେଗମୀ କହିଛନ୍ତି ଯେ, ଗୋଟିଏ କୋଠରୀରୁ ୨୧ ଏବଂ ବାହାରୁ ୨ ଜଣଙ୍କ ମୃତଦେହ ମିଳିଛି। ମୃତଦେହଗୁଡ଼ିକ ସହ କିଛି ବ୍ୟାଗ ମଧ୍ୟ ମିଳିଛି । ଏଥିରୁ ସେମାନେ ଗୋସାଇକୁଣ୍ଡ ଯାଉଥିବା ତୀର୍ଥଯାତ୍ରୀ ହୋଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।ସବୁଠାରୁ ହୃଦୟବିଦାରକ ଦୃଶ୍ୟ ହେଉଛି, ଜଣେ ମହିଳାଙ୍କ ମୃତଦେହ ଏକ ଛୋଟ ଶିଶୁକୁ ଜୋରରେ କୋଳରେ ଧରିଥିବା ଅବସ୍ଥାରେ ମିଳିଛି। ସେମାନେ ମାଆ-ଝିଅ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ନେପାଳର ରାସୁୱା ଜିଲାର ଉତ୍ତରଗୟା ଗାଁରେ ପ୍ରାୟ ୩୫୦ ଛାତ୍ର ନିଖୋଜ ଥିବା ଖବର ମିଳିଛି । ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି । ଏହା ସହିତ ତ୍ରିଶୂଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପରେ ନିୟୋଜିତ ପ୍ରାୟ ୪୦ରୁ ୪୨ ଜଣ ଇଞ୍ଜିନିୟରଙ୍କ ସନ୍ଧାନ ମଧ୍ୟ ଜାରି ରହିଛି। ତ୍ରିଶୂଳୀ-୩ବି ହାଇଡ୍ରୋପାୱାର ପ୍ରକଳ୍ପର ୧୧୮ ଜଣ କର୍ମଚାରୀଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ଏପଟେ ନେପାଳରେ ଭାରତୀୟ ଉଦ୍ଧାରକାରୀ ଦଳ ମଧ୍ୟ ଅଭିଯାନକୁ ଜୋରଦାର କରିଛି। ଖରାପ ପାଗ ଓ କଠିନ ଭୌଗୋଳିକ ପରିସ୍ଥିତି ସତ୍ତ୍ୱେ ଭାରତୀୟ ବିଶେଷଜ୍ଞ ଦଳ ନେପାଳ ସେନା ସହ ମିଶି ରେସ୍କ୍ୟୁ ଅପରେସନ୍ ଜାରି ରଖିଛି।

 

Dharitri – Odisha’s No.1 Odia Daily

Share
Tags: Nepal Flood