କାଠମାଣ୍ଡୁ,୨ା୯: ନେପାଳର ପ୍ରଳୟଙ୍କରୀ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୧,୦୫୦ ଟପିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକ ମୃତଦେହ ମିଳୁଥିବା ଅଧିକାରୀମାନେ କହିଛନ୍ତି। ଲଗାଣ ବର୍ଷା ସାଙ୍ଗକୁ ପୂର୍ବ ନେପାଳର ନଦୀଗୁଡ଼ିକର ଜଳପତ୍ତନ ବୃଦ୍ଧିକୁ ନେଇ ପୁଣି ବନ୍ୟା ଆସିବା ସମ୍ଭାବନା ରହିଛି। ଏଭଳି ପ୍ରତିକୂଳ ପାଗ ଓ ସ୍ଥିତି ମଧ୍ୟରେ ଉଦ୍ଧାରକାରୀମାନେ ମାଟିକାଦୁଅ ଓ ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକମାନଙ୍କୁ ଖୋଜି ବାହାର କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ୫୮୩ ବିଦେଶୀ ଓ ଅନେକ ସୁରକ୍ଷା କର୍ମୀଙ୍କ ସମେତ ପ୍ରାୟ ୪,୦୦୦ ଲୋକ ଏବେବି ନିଖୋଜ ଅଛନ୍ତି। ପାଖାପାଖି ୧୨,୦୦୦ ଲୋକଙ୍କୁ ଉଦ୍ଧାର କରାଗଲାଣି ବୋଲି ଜାତୀୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଆର୍ଆର୍ଏମ୍ଏ) ପକ୍ଷରୁ କୁହାଯାଇଛି। ସେହିପରି ତିବ୍ବତରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୬ ହୋଇଥିବାବେଳେ ପ୍ରାୟ ୫୫୦ ଲୋକ ନିଖୋଜ ଅଛନ୍ତି।
ଗତ ମାସ ୨୬ରେ ଗ୍ଲେସିୟର ଧସିବା ବା ହିମସ୍ଖଳନ ଯୋଗୁ ନେପାଳ-ତିବ୍ବତ ସୀମାରେ ଅଚାନକ ବନ୍ୟା ମାଡ଼ିଆସି ଉତ୍ତର ଓ କେନ୍ଦ୍ରୀୟ ନେପାଳର ବହୁ ସହର ଓ ଗ୍ରାମରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଭୋଟେକୋଶୀ ନଦୀରେ ପ୍ରବଳ ବେଗରେ ବନ୍ୟାଜଳ ମାଡ଼ିଆସି ବହୁ ଘର, ଗାଡ଼ି, ରାସ୍ତା ଓ ବ୍ରିଜ୍କୁ ଭସାଇ ନେବା ସହ ଅନେକ
ନେପାଳ ବନ୍ୟା …
ଜଳବିଦ୍ୟୁତ୍ ପ୍ରକଳ୍ପକୁ କ୍ଷତିଗ୍ରସ୍ତ କରିଥିଲା। ନେପାଳର ଚିଟଓ୍ବାନ ଜିଲାରୁ ସର୍ବାଧିକ ୩୨୧ ମୃତଦେହ ମିଳିଥିବାବେଳେ ନଓ୍ବାଲପାରାସି ଇଷ୍ଟରୁ ୨୧୬, ନଓ୍ବାଲପାରାସି ଓ୍ବେଷ୍ଟରୁ ୧୭୦, ନୁଓ୍ବାକୋଟ୍ରୁ ୯୫, ଗୋର୍ଖାରୁ ୬୫, ଧଡ଼ିଙ୍ଗ୍ରୁ ୫୭, ରସୁଓ୍ବାରୁ ୪୧ ଏବଂ ତାନହୁନ୍ ଜିଲାରୁ ୩୮ ମୃତଦେହ ମିଳିଥିବା ଏନ୍ଡିଆର୍ଆର୍ଏମ୍ଏ କହିଛି।
ନେପାଳର ପୂର୍ବ, କେନ୍ଦ୍ରୀୟ ଏବଂ ପଶ୍ଚିମ ଭାଗରେ ଥିବା ବିଭିନ୍ନ ଜିଲାରେ ପୁଣି ବନ୍ୟା ଆସିବା ଆଶଙ୍କା ଥିବା ନେଇ ମଙ୍ଗଳବାର କର୍ତ୍ତୃପକ୍ଷ ସାନି ସତର୍କ ସୂଚନା ଜାରି କରିଛନ୍ତି। ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସତର୍କ ରହିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ବିଶେଷକରି ନୁଓ୍ବାକୋଟ୍ ଏବଂ ରସୁଓ୍ବା ଜିଲାରେ ଅଚାନକ ବନ୍ୟା ଆସିବା ସମ୍ଭାବନା ଅଧିକ। ସେଠାର ଛୋଟ ନଦୀ ଓ ଝରଣାଗୁଡ଼ିକରେ ଜଳ ପ୍ରବାହ ବଢ଼ିବା ଆଶଙ୍କା ରହିଛି ବୋଲି ଏନ୍ଡିଆର୍ଆର୍ଏମ୍ଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। କୋଶୀ, ନାରାୟଣୀ, ବାଗମତି, କରନାଳି, ମହାକାଳୀ ଓ ସେଗୁଡ଼ିକର ଶାଖାନଦୀଗୁଡ଼ିକର ଜଳପତ୍ତନ ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ରସୁଓ୍ବା ଜିଲାର ତିମୁରେଠାରେ ରିଅଲ-ଟାଇମ୍ ସିସିଟିଭି କ୍ୟାମେରା ଲଗାଯାଇ ଉକ୍ତ ଅଞ୍ଚଳର ନଦୀ ଓ ବନ୍ୟା ସ୍ଥିତି ଅନୁଧ୍ୟାନ କରାଯାଉଛି।