ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା। ଏହି ଭୟଙ୍କର ପରିସ୍ଥିତି ମଧ୍ୟରେ ନୁୱାକୋଟର ଏକ ସ୍କୁଲରେ ଥିବା ୧୬୪୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଥିଲା। ତେବେ ସ୍କୁଲର ପ୍ରଧାନଶିକ୍ଷକ ତଥା ଶିକ୍ଷକ ରାଜେନ୍ଦ୍ର ଦବାଡ଼ିଙ୍କ ତତ୍ପରତା ଓ ସମୟୋପଯୋଗୀ ନିଷ୍ପତ୍ତି ଯୋଗୁଁ ୧୬୪୩ ଛାତ୍ରୀଛାତ୍ରଙ୍କ ଜୀବନ ବଞ୍ଚିଯାଇଛି। ଏହି ଘଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ସାଜିଛି ।

ତ୍ରିଶୂଳୀ ନଦୀ ଉପତ୍ୟକାରେ ଥିବା ତ୍ରିଭୁବନ ତ୍ରିଶୂଳୀ ସେକେଣ୍ଡାରୀ ସ୍କୁଲରେ ସବୁଦିନ ଭଳି ପାଠପଢ଼ା ଚାଲିଥିଲା। ଏହି ସମୟରେ ଅଞ୍ଚଳରେ ହଠାତ୍ ବନ୍ୟା ଆସିବା ନେଇ ସତର୍କ ସୂଚନା ମିଳିଥିଲା। ବିପଦର ଗମ୍ଭୀରତା ବୁଝି ରାଜେନ୍ଦ୍ର ଦବାଡ଼ି ତୁରନ୍ତ ପିଲାମାନଙ୍କୁ ସ୍କୁଲରୁ ବାହାର କରି ସୁରକ୍ଷିତ ଉଚ୍ଚ ସ୍ଥାନକୁ ପଠାଇବା ଆରମ୍ଭ କରିଥିଲେ। ପିଲାମାନଙ୍କୁ ବାହାର କରିବା ପାଇଁ ସ୍କୁଲ ବସ୍‌ଗୁଡ଼ିକୁ ମଧ୍ୟ ଫେରିଯିବାକୁ କୁହାଯାଇଥିଲା। ରିପୋର୍ଟ ଅନୁସାରେ, ମାତ୍ର ପ୍ରାୟ ୨୦ ମିନିଟ୍‌ ମଧ୍ୟରେ ସ୍କୁଲ ପରିସରକୁ ସମ୍ପୂର୍ଣ୍ଣ ଖାଲି କରାଯାଇଥିଲା। ଏହାର କିଛି ସମୟ ପରେ ଭୟଙ୍କର ବନ୍ୟାଜଳ ସ୍କୁଲ ଆଡ଼କୁ ମାଡ଼ିଆସି ଅଟ୍ଟାଳିକାକୁ ଧ୍ୱଂସ କରିଦେଇଥିଲା।

ସମସ୍ତ ଛାତ୍ରୀଛାତ୍ରଙ୍କୁ ଏକ ଉଚ୍ଚ ସ୍ଥାନରେ ଥିବା ଗଛ ନିକଟକୁ ନିଆଯାଇଥିଲା। ପିଲାମାନେ ସୁରକ୍ଷିତ ଭାବେ ପହଞ୍ଚିବାର କିଛି ସମୟ ପରେ ବନ୍ୟାଜଳ ସ୍କୁଲରେ ପ୍ରବେଶ କରିଥିଲା। ପ୍ରବଳ ସ୍ରୋତରେ ସ୍କୁଲର ଅଟ୍ଟାଳିକା ସମ୍ପୂର୍ଣ୍ଣ ଭାବେ ବହିଯାଇଥିଲା। ସମୟ ପୂର୍ବରୁ ପିଲାମାନଙ୍କୁ ସ୍ଥାନାନ୍ତର କରାଯାଇନଥାନ୍ତା, ତେବେ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରିଥାନ୍ତା। ଏହି ଦୁର୍ଘଟଣାରେ ସ୍କୁଲର ଦୁଇଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଜଣାପଡ଼ିଛି। ୩୨ ବର୍ଷୀୟ ଇତିହାସ ଶିକ୍ଷକ ସନ୍ତୋଷ ପରିୟାର ନଦୀକୂଳରେ ଥିବା ନିଜ ଭଡ଼ା ଘରକୁ ଖାଇବା ରାନ୍ଧିବା ପାଇଁ ଯାଇଥିବା ବେଳେ ପ୍ରବଳ ଜଳସ୍ରୋତରେ ଭାସିଯାଇଥିଲେ। ସେହିପରି ସ୍କୁଲର ଚୌକିଦାର ସୁଲତାନ ଲାମା ମଧ୍ୟ ବନ୍ୟାର ଶିକାର ହୋଇଥିଲେ। ସେ ସ୍କୁଲର ଦ୍ୱାର ବନ୍ଦ କରିବାକୁ ପୁଣି ପରିସର ଭିତରକୁ ଯାଇଥିବା କୁହାଯାଉଛି।

୧୬୪୩ ପିଲାଙ୍କ ଜୀବନ ବଞ୍ଚାଇବା ପରେ ରାଜେନ୍ଦ୍ର ଦବାଡ଼ିଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳୁଛି । ତାଙ୍କୁ ଏହି ବିପର୍ଯ୍ୟୟ ସମୟର ଜଣେ ନାୟକ ଭାବେ ଦେଖାଯାଉଛି । ତେବେ ଦବାଡ଼ି ନିଜ ଭୂମିକାକୁ କୌଣସି ଅସାଧାରଣ କାମ ବୋଲି ମନେ କରୁନାହାନ୍ତି। ତାଙ୍କ କହିବା ଅନୁସାରେ, ସେହି ସମୟରେ ତାଙ୍କ ସାମ୍ନାରେ କେବଳ ଗୋଟିଏ ପ୍ରଶ୍ନ ଥିଲା—ପିଲାମାନଙ୍କୁ କିପରି ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନିଆଯିବ।

 

Dharitri – Odisha’s No.1 Odia Daily

Share