Categories: ଜାତୀୟ

ଉତ୍ତେଜନା ବଢ଼ାଉଛି ନେପାଳ

ନୂଆଦିଲ୍ଲୀ, ୨ା୮: ଭାରତର ୩ଟି ସୀମାନ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା ନେପାଳ ପୁଣି ଥରେ ଉତ୍ତେଜନା ବଢ଼ାଇଛି। ଉକ୍ତ ୩ ଅଞ୍ଚଳକୁ ନେଇ ପ୍ରସ୍ତୁତ ସଂଶୋଧିତ ମାନଚିତ୍ରକୁ ଜାତିସଂଘ ଓ ଗୁଗଲ ନିକଟକୁ ପଠାଇବା ପାଇଁ କାଠମାଣ୍ଡୁ ଯୋଜନା କରିଛି। ନୂଆ ମାନଚିତ୍ରରେ ଭାରତର କାଲାପାନି, ଲିପୁଲେଖ ଏବଂ ଲିମ୍ପିଆଧୁରାକୁ ନେପାଳ ନିଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦର୍ଶାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ସରକାର ନୂଆ ମାନଚିତ୍ରକୁ ଇଂଲିଶରେ ପ୍ରକାଶ କରି ଅନ୍ତର୍ଜାତୀୟ ସମୁଦାୟଙ୍କ ପାଖକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ଏ ସମ୍ପର୍କରେ ଭୂମି ପରିଚାଳନା ମନ୍ତ୍ରୀ ପଦ୍ମ ଆର଼୍ୟାଲ ସୂଚନା ଦେଇଛନ୍ତି। ନେପାଳ ନୂଆ ମାନଚିତ୍ରର ୨୫ ହଜାର କପି ଛପାଇଥିବା ଜଣାପଡିଛି। ସେଗୁଡ଼ିକୁ ସ୍ଥାନୀୟ ଓ ପ୍ରାଦେଶିକ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଯୋଗାଇଦିଆଯିବ।
ମେ’ ୧୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରାଖଣ୍ଡର ଲିପୁଲେଖ ପାସ୍‌ ସହିତ ଧାରଚୁଲାକୁ ସଂଯୋଗ ଲାଗି ଗୁରୁତ୍ୱପୂର୍ଣ୍ଣ ୮୦ କିଲୋମିଟର ରାସ୍ତା ଉଦ୍‌ଘାଟନ କରିବା ପରେ ଭାରତ-ନେପାଳ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଛି। ଉକ୍ତ ରାସ୍ତା ନେପାଳ ଅଞ୍ଚଳ ଦେଇ ଯାଇଥିବା କାଠମାଣ୍ଡୁ ଦାବି କରୁଥିବାବେଳେ ଭାରତ ଏହାକୁ ଖଣ୍ଡନ କରିଥିଲା। ରାସ୍ତା ସମ୍ପୂର୍ଣ୍ଣ ଭାରତୀୟ ସୀମା ମଧ୍ୟରେ ଥିବା ନୂଆଦିଲ୍ଲୀ କହିଥିଲା। ଏହା ପରେ ନେପାଳ ନୂତନ ମାନଚିତ୍ରରେ ଭାରତର ଉପରୋକ୍ତ ୩ଟି ଅଞ୍ଚଳକୁ ସାମିଲ କରି ସୀମା ବିବାଦ ସୃଷ୍ଟି କରିଛି। ଚାଇନା ପ୍ରରୋଚନାରେ ନେପାଳ ଭାରତ ସହ ବିବାଦ ବଢ଼ାଉଥିବା କୁହାଯାଉଛି। କରୋନା ମହାମାରୀ ଯୋଗୁ ଭାରତ ସହ ଆଲୋଚନା ହୋଇପାରିବ ନାହିଁ ବୋଲି ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ ଗ୍ୟାଓ୍ବାଲି କହିଥିଲେ। ଅନ୍ୟପକ୍ଷରେ ଗତବର୍ଷ ନଭେମ୍ବରରେ ଭାରତ ପ୍ରକାଶ କରିଥିବା ରାଜନୈତିକ ମାନଚିତ୍ରର ଅଷ୍ଟମ ସଂସ୍କରଣରେ ନେପାଳର କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ନିଜ ଅଞ୍ଚଳ ଭାବେ ସାମିଲ କରିଥିଲା ବୋଲି ସେ ଦାବି କରିଛନ୍ତି। କୂଟନୈତିକ ଆଲୋଚନା ମାଧ୍ୟମରେ ସୀମା ସମସ୍ୟାର ସମାଧାନ ପାଇଁ କାଠମାଣ୍ଡୁ ସେତେବେଳେ ପ୍ରସ୍ତାବ ଦେଇଥିଲା, ଯାହାକୁ ନୂଆଦିଲ୍ଲୀ ଗ୍ରହଣ କରି ନ ଥିଲା ବୋଲି ଗ୍ୟାଓ୍ବାଲି କହିଛନ୍ତି।

Share