Categories: ଜାତୀୟ

ପଞ୍ଚମ ଥର ଲାଗି ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଫ୍ୟୁ ରିଓ

କୋହିମା,୭ ।୩: ନାଗାଲାଣ୍ଡ ରାଜନୀତିର ବରିଷ୍ଠ ନେତା ନେଫ୍ୟୁ ରିଓ ମଙ୍ଗଳବାର ଅର୍ଥାତ୍ ୭ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଧାନୀ କୋହିମାରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲା ଗଣେଶନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନେଫ୍ୟୁ ରିଓ ପଞ୍ଚମ ଥର ଲାଗି ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ ଭାଜପାର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।
ନ୍ୟାଶନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ୬୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ୪୦-୨୦ ଆସନ ଭାଗବଣ୍ଟା ଫର୍ମୁଲା ସହ ନିର୍ବାଚନ ଲଢିଥିଲେ ଓ ଲଗାତାର ଦ୍ୱିତୀୟଥର ଲାଗି ଶାସନ କ୍ଷମତାକୁ ଆସିଛନ୍ତି । ଏନଡିପିପି ଓ ଭାଜପା ନିର୍ବାଚନରେ କ୍ରମଶଃ ୨୫ ଓ ୧୨ ଆସରେ ବିଜୟ ହାସଲ କରିଛନ୍ତି ।
ମେଣ୍ଟରେ ସାମିଲ ହୋଇଥିବା ଭାଜପାକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି । ଭାଜପାର ୟାନଥୁଂଗୋଙ୍କ ପୌଟନ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଭାଜପା ବିଧାୟକ ଦଳ ତା’ର ରାଷ୍ଟ୍ରୀୟ ପ୍ରବକ୍ତା ନଲିନି କୋହଲି ଓ ପର୍ଯ୍ୟବେକ୍ଷକ ରଂଜିତ ଦାସଙ୍କ ଉପସ୍ଥିତିରେ ସର୍ବସମ୍ମତିରେ ୟାନଥୁଂଗୋ ପୌଟନଙ୍କୁ ନିଜର ନେତା ବାଛିଛନ୍ତି ।
ମେଘାଳୟ ଭଳି ନାଗାଲାଣ୍ଡରେ ବି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୟାନଥୁଂଗୋ ପୌଟନଙ୍କ ସହ ଡି ଟି ଆର ଜେଲିୟାଂଗ ବି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Share