ପାଟନ୍,୧୫।୭: ମାତ୍ର ୫୦୦୦ଟଙ୍କା ଋଣ କାରବାରକୁ କେନ୍ଦ୍ରକରି ଗୁଜରାଟର ପାଟନ୍ ଜିଲାରେ ପିଙ୍କିବେନ ପଟନୀ(୩୫) ନାମକ ଜଣେ ବିଧବା ମହିଳାଙ୍କୁ ପଡ଼ୋଶୀ ବାବୁଭାଇ ରାବଲ୍ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଇଛନ୍ତି। ଧାର ଟଙ୍କା ଫେରସ୍ତ କରିବାକୁ ପିଙ୍କିବେନ ମାସକ ପରେ ଆଉ ଦୁଇ ଦିନ ସମୟ ମାଗିବାରୁ ଅଭିଯୁକ୍ତ ଚା’ ଆଣିବା ବାହାନାରେ ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ମହିଳାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଦୁଇଟି ଛୋଟ ପିଲା ଏବେ ସମ୍ପୂର୍ଣ୍ଣ ଅନାଥ ହୋଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ଅଭିଯୁକ୍ତ ନିଜେ ମଧ୍ୟ ଆହତ ହୋଇଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ପୂର୍ବର ବୟାନ ଅଧାରରେ ପୋଲିସ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ସହ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜିତୁଭାଇ ପାଞ୍ଚାଲ ନାମକ ବ୍ୟକ୍ତିଙ୍କ ସନ୍ଦେହଜନକ ଭୂମିକାର ମଧ୍ୟ ତଦନ୍ତ ପାଇଁ ମୃତକଙ୍କ ପରିବାର ଲେକେ ଦାବି କରିଛନ୍ତି।