ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍ (ବିଜେଏମ୍ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ଭାବରେ ଖରିଆର ରୋଡର ନେହା ଡାଗାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ବିଜେଏମ୍ସି ରାଜ୍ୟ ଅଧ୍ୟକ୍ଷ ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଅର୍ନବ ଚାଟାର୍ଜୀ ମୁଖ୍ୟଅତିଥି ଓ ମହିଳା ରାଷ୍ଟ୍ରୀୟ ଅଧ୍ୟକ୍ଷା ମୁନାୱାରୀ ବେଗମ, ଉପସଭାପତି ଅର୍ମାନ ଗାଙ୍ଗୁଲି, ଯୁବ ସଭାପତି ଦୀପକ ଶର୍ମା, ଜାତୀୟ ସଂଯୋଜକ ନିର୍ମଳ ମଣ୍ଡଳ, ରାଷ୍ଟ୍ରୀୟ ସଚିବ ମଦନ ମୋହନ ପ୍ରଧାନ, ଓଡିଶା ପ୍ରଦେଶ ଉପସଭାପତି ବିକ୍ରମ କେଶରୀ ଧଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ନବନିଯୁକ୍ତ ମହିଳା ସଭାନେତ୍ରୀ ଡାଗା ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ପୂର୍ବରୁ ବିଜେଏମ୍ସି ସହିତ ଜଡିତ ଥିଲି। ବର୍ତ୍ତମାନ ମୋତେ ରାଜ୍ୟର ଗୁରୁ ଦାୟିତ୍ୱ ମିଳିଛି। ଏହି ଦାୟିତ୍ୱ ସୁଚାରରୂପେ ପାଳନ କରିବା ସହ ଶ୍ରମିକମାନଙ୍କ ଦୁଃଖସୁଖର ସାଥୀ ହୋଇ କାର୍ଯ୍ୟ କରିବି ବୋଲି କହିଥିଲେ। ରାକେଶ ଜୈନ ମଞ୍ଚ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।