୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ଏଣିକି କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ୩ମାସ ପରେ ଭାକ୍ସିନ ନେଇପାରିବେ ବୋଲି ବୁଧବାର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏନ୍‌ଇଜିଭିଏସିର ପରାମର୍ଶ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଭାକ୍ସିନର ପ୍ରଥମ ଡୋଜ୍‌ ନେବା ପରେ କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସୁସ୍ଥ ହେବାର ୩ ମାସ ପରେ ସେ ଦ୍ୱିତୀୟ ଡୋଜ ନେଇପାରିବେ। ଏତଦ୍‌ ବ୍ୟତୀତ ସ୍ତନ୍ୟପାନ କରାଉଥିବା ମହିଳା ମଧ୍ୟ କରୋନା ଭାକ୍ସିନ ନେଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ତେବେ କରୋନା ଭାକ୍ସିନ ନେବା ଆଗରୁ ଲୋକଙ୍କୁ ଆଣ୍ଟିଜେନ୍‌ କିମ୍ବା ଆରଟି-ପିସିଆର ଟେଷ୍ଟ କରାଇବାକୁ ପଡ଼ିବ ନାହିଁ। ବିଶ୍ୱ ପ୍ରମାଣ ଓ ଅଭିଜ୍ଞତା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଗର୍ଭବତୀଙ୍କ ଟିକାକରଣ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

Share