ରିଷିଡା,୧।୯ (ସୁଶାନ୍ତ ମଲ୍ଲିକ): ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବମକ ଗାଁର ଉଦ୍ୟମ ମାଝି ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସକାଳ ସମୟ ପାଖାପାଖି ୧୦ଟା ସମୟରେ ଉଦ୍ୟମ ନିଜ ବିଲରୁ ଫେରି ଘରୁକୁ ଯିବା ବେଳେ ଘର ସମ୍ମୁଖରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ସପୋର୍ଟ ପାଇଁ ଦିଆଯାଇଥିବା ତାର ସଂସ୍ପର୍ଶରେ ଆସି ଅଚେତ୍ ହୋଇ ପଡ଼ିଯାଇଥିଲେ। ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରୁଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ଭାଇ ମ.ରାମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୋଲିସ କେଶ ନମ୍ବର ୩/୨୦୨୫ ରେ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି। ତେବେ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ଏପରି ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।


