Categories: ଜାତୀୟ

ଅପରେଶନ ବେଳେ ମହିଳାଙ୍କ ପେଟରେ ତଉଲିଆ ଭୂଲିଗଲେ ଡାକ୍ତର: ଘଟିଲା ଏଭଳି କିଛି..

ପାଟଣା,୨୭।୮: ବିହାରର ଗୟାରେ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଅପରେଶନ ସମୟରେ ୨୧ ବର୍ଷୀୟ ଜଣେ ମହିଳାଙ୍କ ପେଟରେ ଡାକ୍ତର ତଉଲିଆ ଛାଡ଼ି ଦେଇଥିଲେ। ଫଳରେ ମହିଳାଙ୍କ କଷ୍ଟ କମିବା ବଦଳରେ ବଢ଼ି ଯାଇଥିଲା। ପରେ ତାଙ୍କୁ ପୁଣି ଥରେ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସିଟି ସ୍କାନ କରିବା ପରେ ଡାକ୍ତର ଚକିତ ହୋଇଯାଇଥିଲେ।
ଘଟଣାଟି ଏପରି। ମୀରା ଦେବୀ ନାମକ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୨୯ରେ ତାଙ୍କର ଅପରେଶନ କରାଯାଇଥିଲା। ସେ ଘରକୁ ଫେରିଥିଲେ ହେଁ ତାଙ୍କୁ ଯନ୍ତ୍ରଣା ହୋଇଥିଲା। ଏହା କମ୍‌ ନ ହେବାରୁ ପରିବାରଲୋକେ ପାଟଣା ଆସି ଅନ୍ୟ ଏକ ଘରୋଇ କ୍ଲିନିକ୍‌ରେ ତାଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସିଟି ସ୍କାନ କରାଯାଇଥିଲା। ହେଲେ ରିପୋର୍ଟ ଯାହା ବାହାରିଲା ତାହା ଦେଖି ଡାକ୍ତର ଚକିତ ହୋଇଯାଇଥିଲେ। ପୁଣି ଥରେ ଅପରେଶନ କରିବା ପରେ ଡାକ୍ତର ତାଙ୍କ ପେଟରୁ ତଉଲିଆକୁ ବାହାର କରିଥିଲେ। ଏହି ତଉଲିଆ ଡାକ୍ତରମାନେ ଅପରେଶନ ସମୟରେ ବ୍ୟବହାର କରିଥାନ୍ତି ବୋଲି ଜଣାପଡ଼ିଥିଲା। ଫଳରେ ଅବହେଳାରୁ ପୂର୍ବ ଅପରେଶନ ସମୟରେ ତାହା ଛାଡ଼ି ଦେଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଏବେ ମହିଳାଜଣଙ୍କ ଗୁରୁତର ଅଛନ୍ତି। ଲଗାତାର ଭାବେ ରକ୍ତ ଦିଆଯାଉଛି। ଅପରପକ୍ଷେ ପରିବାରଲୋକେ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଏଫଆଇଆର୍‌ କରିବେ ବୋଲି ଜଣାପଡ଼ିଛି।

 

Share