ଲୋଇସିଂହା,୮ା୮(ସୁଶାନ୍ତ ବାରିକ):ଦାୟିତ୍ୱରେ ଅବହେଳା କରିବା ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ ନିଲମ୍ବନ କରିଛନ୍ତି। ନିଲମ୍ବନ ଅବଧି ଶେଷ ନ ହେବା ପର୍ଯ୍ୟନ୍ତ ସାହୁଙ୍କୁ କଣ୍ଟାବାଞ୍ଜି ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ପ୍ରତ୍ୟହ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛିଦିନ ପୂର୍ବରୁ ସାଲେଭଟାର ଗଙ୍ଗାଧର ମହାଲିଙ୍ଗଙ୍କଠାରୁ ବେଆଇନ ମଦ କାରବାର ଅଭିଯୋଗରେ ଫାଣ୍ଡି ଅଧିକାରୀ ସାହୁ ୧ଶହ ବୋତଲ ମଦ ଜବତ କରିଥିଲେ। ତେବେ ଜବତ ତାଲିକାରେ ୧ଶହ ବୋତଲ ବଦଳରେ ମାତ୍ର ୧୦ ବୋତଲ ମଦ ଦର୍ଶାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକାରୀ ଜଣକ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟରେ ଆହୁରି ଅଭିଯୋଗ କରିଥିଲେ, ସେ ଅସୁସ୍ଥ କାରଣରୁ ସେହି ମାସର ମାସିକିଆ ବଟି ଦେଇ ନ ଥିବାରୁ ତାଙ୍କ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ବଲାଙ୍ଗୀର ଏସ୍ପି ସଦର ଏସ୍ଡିପିଓ ସରୋଜ ଉପାଧ୍ୟାୟଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍ଡିପିଓ ଉପାଧ୍ୟାୟ ଏବଂ ଲୋଇସିଂହା ଆଇଆଇସି ସିପରାସରାୟ ଲୁଗୁନ ଘଟଣାର ତଦନ୍ତ କରିଥିଲେ। ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବା ପରେ ଫାଣ୍ଡି ଅଧିକାରୀ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ସାହୁ କେବଳ ବେଆଇନ ମଦ କାରବାର ନୁହେଁ, ଗୋଚାଲାଣକାରୀଙ୍କ ନିକଟରୁ ମଧ୍ୟ ଟଙ୍କା ନେଉଥିବା ସମୟରେ ସିସି କ୍ୟାମେରାରେ ଧରାପଡିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।